ଏମ୍ ସିର 41ତମ ସାଧାରଣ ପରିଷଦ ବୈଠକ
• ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ବିଏମ୍ ସିର ବ୍ୟାପକ ପଦକ୍ଷେପ
• ପରିବେଶ ଅନୁକୂଳ ସୋଲାର ଓ୍ୱାଟର କିଓସ୍କ, ଶୀତଳ ଆଶ୍ରୟସ୍ଥଳ ଓ ସବୁ ଓ୍ୱାର୍ଡରେ ନିର୍ମାଣ ହେବ ମଲ୍ଟି ପରପୋଜ୍ ରେଷ୍ଟ ସେଡ୍
• ଇସ୍କନ ମନ୍ଦିର ନିକଟରେ ଅତ୍ୟାଧୁନିକ ଡ୍ରେନେଜ୍ କାର୍ଯ୍ୟ ଆରମ୍ଭ ହୋଇଛି
• ପ୍ରମୁଖ ଡ୍ରେନ ସହ ଛୋଟ ଡ୍ରେନଗୁଡିକରୁ ବର୍ଷା ଋତୁ ପାଇଁ ପଙ୍କୋଦ୍ଧାର କାର୍ଯ୍ୟ ଜାରି
• ଖୋଳା ଯାଇଥିବା ରାସ୍ତା କାମ ତୁରନ୍ତ ଶେଷ କରିବା ଏବଂ ଜୁଲାଇ ଆରମ୍ଭରୁ କୌଣସି ରାସ୍ତା ନ ଖୋଳିବା ପାଇଁ କଡା ତାଗିଦ
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) 41 ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରା, ଜୋନାଲ କମିଶନର ଅଶନୀ ଏ.ଏଲ୍. ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର, ସଂଯୁକ୍ତ ବିଭାଗର ଅଧିକାରୀ, ବିଏମ୍ ସିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
ବୈଠକ ଆରମ୍ଭରୁ କମିଶନର ଶ୍ରୀ ଚଞ୍ଚଳ ରାଣା ସ୍ୱାଗତ ଅଭିଭାଷଣରେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଜନସାଧାରଣ, ବୁଲା ପଶୁ ପକ୍ଷୀଙ୍କ ସହ ପରିବେଶର ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ । ଗ୍ରୀଷ୍ମ ପ୍ରବାହରୁ ପଥଚାରୀଙ୍କୁ ସୁରକ୍ଷା ଦେବା ପାଇଁ ପୂର୍ବରୁ କେବଳ ଏଜି ଛକରେ ସ୍ଥାୟୀ ସେଡ୍ ନିର୍ମାଣ କରାଯାଇଥିଲା । ଏବେ ରୁପାଲୀ ଛକ ଓ ପାଓ୍ୱାର ହଉସ ଛକରେ ସ୍ୱତନ୍ତ୍ର ସ୍ଥାୟୀ ସେଡ୍ ନିର୍ମାଣ କରାଯାଉଥିବା ଅବଗତ କରାଇଥିଲେ । ସେହିପରି ବିଭିନ୍ନ ଅଂଚଳରୁ ଆସୁଥିବା ଲୋକେ କିମ୍ବା ବିଭିନ୍ନ ସ୍ଥାନକୁ ଯିବାପାଇଁ ବସ୍ ଷ୍ଟାଣ୍ଡରେ ଲୋକମାନଙ୍କୁ ପ୍ରବଳ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ସେଥିରୁ ରକ୍ଷା ପାଇବା ପାଇଁ କଳ୍ପନା ଓ ଫାୟାରଷ୍ଟେସନ ଛକଠାରେ ଦୁଇଟି ଶୀତଳ ବିଶ୍ରାମ ସ୍ଥଳ ଖୋଲାଯାଇଛି । ଆଗାମୀ ଦିନରେ ଆଉ ଦୁଇଟି ଶୀତଳ ବିଶ୍ରାମସ୍ଥଳ ଖୋଲା ଯିବ । କେବଳ ସେତିକି ନୁହେଁ, ସହର ଭିତରେ ଥିବା 10 ଗୋଟି ପ୍ରମୁଖ ସ୍ଥାନରେ ଶୀତଳ ବସ୍ ଷ୍ଟପ୍ ସ୍ଥାପନ କରାଯିବ । ସେହିପରି ପ୍ରତ୍ୟେକ ଓ୍ୱାର୍ଡରେ ହେବ ମଲ୍ଟି ପରପୋଜ୍ ରେଷ୍ଟ ସେଡ୍ ନିର୍ମାଣ କରିବା ପାଇଁ ମଧ୍ୟ ଯୋଜନା ରହିଥିବା କୁହାଯାଇଛି । ଏହି ସବୁସ୍ଥାନରେ ବେଣାଚେରରେ ଶୀତଳ ଛାୟା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ପ୍ରାକୃତିକ ଉପାୟରେ ଲୋକମାନଙ୍କୁ ଥଣ୍ଡା ପବନ ଯୋଗାଇବା ସହ ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରିବ ବୋଲି କୁହାଯାଇଛି ।
ଲୋକମାନଙ୍କୁ ଖରାଦିନେ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବାକୁ ସହରରେ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ 40 ଗୋଟି ସୋଲାର ଓ୍ୱାଟର କିଓସ୍କ ସ୍ଥାପନ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଜଳଛତ୍ର ମଧ୍ୟ ଖୋଲାଯାଇଛି । ସେହିପରି ବୁଲା ଗାଈଗୋରୁ, କୁକୁର, ବିରାଡି, ମାଙ୍କଡ ଆଦି ପଶୁ ଓ ପକ୍ଷୀମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳ ବ୍ୟବସ୍ଥା କରାଯାଇଛି ବୋଲି କମିଶନ ଗୃହକୁ ଅବଗତ କରାଇଥିଲେ । ଚଢେଇମାନଙ୍କ ପାଇଁ ବିଭିନ୍ନ ଗଛ ଓ ସେମାନଙ୍କର ସମାଗମ ସ୍ଥାନରେ ଜଳ ଓ ବସା ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥରେ ସ୍ମାର୍ଟ ବେଞ୍ଚ ମଧ୍ୟ ନିର୍ମାଣ କରାଯାଇଛି ।
ବୁଦ୍ଧ ବିହାର, ସୁବୁଦ୍ଧିପୁର, ନିଳାଦ୍ରୀ ବିହାର ଆଦି ହାଉସିଂ ପ୍ରକଳ୍ପ, ବିଭିନ୍ନ କମ୍ୟୁନିଟ୍ ସେଣ୍ଟର, ଓ୍ୱାର୍ଡ ଅଫିସ ସର୍ବସାଧାରଣ ଆଶ୍ରୟସ୍ଥଳ ଆଦିରେ ରୁଫ ଟପ୍ ହ୍ୱାଇଟନର ପ୍ରଲେପ ଦେଇ ସେହି ପକ୍କା ଘରଗୁଡିକୁ ଥଣ୍ଡା ରଖିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ସ୍ୱଚ୍ଛ କର୍ମୀଙ୍କ ପାଇଁ ପ୍ରତି ଓ୍ୱାର୍ଡରେ ମଲ୍ଟି ପ୍ରପୋଜଡ୍ ରେଷ୍ଟ ସେଡ୍ ନିର୍ମାଣ କରାଯିବ ବୋଲି କୁହାଯାଇଛି ।
ବିଏମ୍ ସି ଅଂଚଳରେ ଥିବା ବିଭିନ୍ନ ପ୍ରମୁଖ ଡ୍ରେନ ସହ ପ୍ରତ୍ୟେକ ଓ୍ୱାର୍ଡରେ ଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଖାସ୍ କରି ଇସ୍କନ ମନ୍ଦିର ନିକଟରେ ଅତ୍ୟାଧୁନିକ ଡ୍ରେନେଜ୍ ବ୍ୟବସ୍ଥା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ବର୍ଷା ଋତୁ ପୂର୍ବରୁ ପଙ୍କୋଦ୍ଧାର କାର୍ଯ୍ୟ ସାରିବା ପାଇଁ ସଂପୃକ୍ତ ଏଜେନ୍ସି ଓ ସଂଯୁକ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ମାନନୀୟା ମେୟର । କେବଳ ସେତିକି ନୁହେଁ, ବର୍ଷା ଋତୁ ପୂର୍ବରୁ ରାସ୍ତା ମରାମତି କାମ ସାରିବାକୁ କୁହାଯାଇଛି । ଜୁନ୍ ଶେଷସୁଦ୍ଧା ସମସ୍ତ କାମ ସାରିବାକୁ ସଂପୃକ୍ତ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି । ତା ପରେ ଆଉ କୌଣସି ରାସ୍ତା ଖୋଳାଯାଇ ପାରିବ ନାହିଁ । ଯେଉଁମାନଙ୍କୁ ଅନୁମତି ଦିଆଯାଇଛି ସେମାନଙ୍କର ଅନୁମତି ବାତିଲ କରିବାକୁ ନିର୍ଦେଶ ଦିଆଯାଇଛି ଏବଂ ଓ୍ୱାଟକୋ ଓ ଟିପିସିଡିଓଏଲକୁ ମଧ୍ୟ ଜୁଲାଇ ମାସଠାରୁ ଆଉ ରାସ୍ତା ଖୋଳି କାମ ନ କରିବାକୁ ନିର୍ଦେଶ ଦିଆଯାଇଛି ।
ଏହି କର୍ପୋରେସନର କାର୍ଯ୍ୟକାଳ ଅଳ୍ପ ଦିନ ଥିବାରୁ, ବିଭିନ୍ନ ଓ୍ୱାର୍ଡରେ ଚାଲିଥିବା କାର୍ଯ୍ୟ କିମ୍ବା ଟେଣ୍ଡର ହୋଇଯାଇଥିବା କାର୍ଯ୍ୟ ତୁରନ୍ତ ସାରିବା ସହ ଟେଣ୍ଡର ହୋଇନଥିବା କାର୍ଯ୍ୟର ତୁରନ୍ତ ଟେଣ୍ଡର କରିବାକୁ ନିର୍ଦେଶ ଦିଆଯାଇଛି । କର୍ପୋରେଟରମାନେ ନିଜ ଓ୍ୱାର୍ଡରେ କାର୍ଯ୍ୟ ତଦାରଖ କରିବା ସହ ତୁରନ୍ତ ସାରିବାକୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ପୋଲଗୁଡିକୁ ତୁରନ୍ତ ହଟାଇବା ସହ ଓହଳି ରହିଥିବା ତାରଗୁଡିକୁ ସଜାଡିବା ପାଇଁ ଟିପିସିଓଡିଏଲ୍ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ମାନନୀୟା ମେୟର ।
ଆଜିର ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ ଓ କାର୍ଯ୍ୟାନ୍ୱୟ, ଶୂନ୍ୟକାଳ ପ୍ରଶ୍ନୋତ୍ତର, କର୍ପୋରେଟର ଓ ଅଧିକାରୀମାନଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଏବଂ ଲିଖିତ ପ୍ରଶ୍ନୋତ୍ତର ସଂପର୍କରେ ଆଲୋଚନା ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ।