ଭୁବନେଶ୍ୱର , ହଜାର ହଜାର କର୍ମଚାରୀ ନିଜର ଅଧିକାର ପାଇବା ପାଇଁ ଅହୋରାତ୍ର ଧାରଣା, ଅନଶନ ଏବଂ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ କରୁଛନ୍ତି ଲୋୟର ପିଏମଜିରେ । ଅନ୍ୟପଟେ ରାଜ୍ୟସରକାର ବେଫିକର ହୋଇ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ଅଛନ୍ତି । ଏପରିକି ବିକ୍ଷୋଭକାରୀଙ୍କ ଦାବି ପୂରଣ ତ ଦୂର କଥା ରାଜ୍ୟସରକାରଙ୍କ ଗୋଟିଏ ବି ପ୍ରିତିନିଧୀ ସେମାନଙ୍କ ଦୁଃଖ ଶୁଣିବାକୁ ଆସୁନାହାଁନ୍ତି । ରାଜଧାନୀର ରାଜରାସ୍ତାରେ ସବୁ ବର୍ଗର କର୍ମଚାରୀମାନେ ନିଜର ନ୍ୟାର୍ଯ୍ୟ ଦାବିକୁ ନେଇ ଆନ୍ଦୋଳନ କରୁଥିବା ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜର ଆତ୍ମ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ମିଥ୍ୟା ପ୍ରଚାର ଏବଂ ବଡ ବଡ ବିଜ୍ଞାପନରେ ଯୋଜନା ଲାଗୁ ହେଉଛି ଏବଂ ତା ପରଦିନ ଖବରକାଗଜରେ ତାର ସଫଳତାର କାହାଣୀ ଦର୍ଶାଯାଉଛି । ସରକାରଙ୍କ ପ୍ରତିଶୃତି ଏଠି ପାଣିର ଗାର ପାଲଟିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି ଗାନ୍ଧୀ ମାର୍ଗରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା ଗାଁ ସାଥୀ ସଂଘ, ଓଡିଶା କୃଷକ ସଂଘ, ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ, ଓଡିଶା ଗ୍ରାମ ରୋଜଗାର ସେବକ ସଂଘ, ନିଖିଳ ଉତ୍କଳ କସ୍ତୁରବା ବାଳିକା ବିଦ୍ୟାଳୟ କର୍ମଚାରୀ ସଂଘ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନ୍ୟରାଜ୍ୟ ଭଳି ବୟସ ସୀମାକୁ ବୃଦ୍ଧି କରିବାକୁ ଓଭର୍ ଏଜ୍ ବିଇଡି/ସିଟି ସଂଘମାନଙ୍କ ପାଖରେ ବିଜେପିର ଏକ ପ୍ରତିନିଧୀ ଦଳ ପହଂଚି ସେମାନଙ୍କ ଦାବିକୁ ପୂର୍ଣ୍ଣ ସମର୍ଥନ କରିଛି । ଏହା ସହ ଆଗାମୀ ଦିନରେ ରାଜ୍ୟରେ ବିଜେପିର ସରକାର ଆସିଲେ ଆନ୍ଦୋଳନକାରୀଙ୍କ ଦାବିକୁ ପ୍ରାଥମିକତା ଦେଇ ପ୍ରଥମେ ସମାଧାନ କରିବ ବୋଲି ଦୃଢ ପ୍ରତିଶୃତି ଦେଇଛି ।
ସାଢେ ୪ କୋଟି ଓଡିଆ ମୋର ପରିବାର ବୋଲି ମୁଖ୍ୟମନ୍ତ୍ରୀ କହି ବୁଲୁଛନ୍ତି । ପ୍ରତି ସଭାରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ ଖୁସି ଏବଂ ପ୍ରଶ୍ନ ପଚାରୁଛନ୍ତି ଆପଣମାନେ ଖୁସି ତ ? ରାଜରାସ୍ତାରେ ଖୋଲା ଆକାଶ ତଳେ ନିଜ ଅଧିକାର ପାଇଁ ସଂର୍ଘଷ କରୁଥିବା ବ୍ୟକ୍ତି କିପରି ଖୁସି ରହିବ ? ରାଜରାସ୍ତାରେ ଧାରଣା ଦେଇଥିବା ଲୋକ କଣ ସାଢେ ୪ କୋଟି ଭିତରେ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ନିର୍ବାଚନକୁ ଆଖିରେ ରଖି କେବଳ ଛତୁ ଫୁଟିଲା ପରି ଯୋଜନା ଆରମ୍ଭ ହେଉଛି । ରାଜ୍ୟରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ମିଶନ ଶକ୍ତି ନାଁରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଅର୍ଥ ବଂଟା ହେଉଛି । ରାଜ୍ୟ ରାଜକୋଷର ଅର୍ଥକୁ ନିଜର ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ବିନିଯୋଗ କରୁଛନ୍ତି ରାଜ୍ୟସରକାର । ୯୨ ହଜାର କୋଟି ଋଣ ଭାରରେ ରାଜ୍ୟ ଚାଲିଥିବାବେଳେ ନିଜର ରାଜନୈତିକ ସ୍ୱାର୍ଥ ପୂରଣ ପାଇଁ କୋଟି କୋଟି ଟଙ୍କା ବାଂଟି ଭୋଟ ହାତେଇବା ପାଇଁ ଅପଚେଷ୍ଟା କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ନବୀନବାବୁ ଓଡିଶାର ନିରୀହ ଲୋକମାନଙ୍କୁ ଲୁଟି ଚାଲିଛନ୍ତି । ଦୀର୍ଘ ୧୯ ବର୍ଷରେ ନବୀନ ସରକାର ଆନ୍ଦୋଳନକାରୀ ଦାବି ସମସ୍ୟାର ସମାଧାନ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଥିଲା । କେନ୍ଦ୍ରସରକାରଙ୍କ ଚର୍ତୁଃଦଶ ଅର୍ଥ କମିଶନରେ କଂଗ୍ରେସ ସରକାର ଦେଇଥିବା ୩୨ ପ୍ରତିଶତ ଅର୍ଥକୁ ୧୦ ପ୍ରତିଶତ ବୃଦ୍ଧି କରି ୪୨ ପ୍ରତିଶତ କରାଯାଇଛି । କଂଗ୍ରେସ ସରକାର ଠୁ ତିନିଗୁଣ ଅଧିକ ବାର୍ଷିକ ହିସାବରେ ମୋଦି ସରକାର ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ଏବଂ ପାଚଂ ବର୍ଷରେ ୫ ଲକ୍ଷ ୪୭ ହଜାର କୋଟି ଟଙ୍କା ଦେବା ପରେ ବି ରାଜ୍ୟସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟର ବିକାଶ ହୋଇ ପାରିଲା ନାହିଁ । ବିଜୁଯୁବ ବାହିନୀ ପାଇଁ ଅର୍ଥ ଅଛି କିନ୍ତୁ ସରକାରୀ କର୍ମଚାରୀମାନଙ୍କୁ ଦେବା ପାଇଁ ଅର୍ଥ ନାହିଁ । ଏହା ରାଜ୍ୟସରକାରଙ୍କ ରୁଗ୍ମ ମାନସିକତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ବଦ୍ରି ଧଳ ପ୍ରମୁଖ ଉପସ୍ଥିତ ଥିଲେ ।