କଳାହାଣ୍ଡି: ଆଜି ସକାଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡକର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣ ପ୍ରାଣ ହରାଇଛନ୍ତି। ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ସମୟରେ ଜଣେ ମିସ୍ତ୍ରୀ ପ୍ରଥମେ ଶ୍ୱାସରୁଦ୍ଧ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ଜଣକ ପରେ ଜଣେ ଟାଙ୍କି ଭିତରକୁ ଯାଇଥିଲେ । ଫଳରେ ଜଣକ ପରେ ଜଣେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସ୍ଥାନୀୟ ବ୍ୟକ୍ତି ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ମେଡ଼ିକାଲରେ ଆମ୍ବୁଲାନ୍ସ ସାହାଯ୍ୟରେ ମଦନପୁର ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ ।