ବ୍ରହ୍ମପୁର: ବ୍ରହ୍ମପୁରରେଏନକାଉଣ୍ଟର। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ମାମଲାରେ ଫେରାର ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ। ସୂଚନା ଅନୁସାରେ, ଗତ ୧୫ ତାରିଖରେ ସତ୍ୟନାରାୟଣପୁର ଗାଁର ସୁଧୀର ପାତ୍ରଙ୍କୁ ଦୁର୍ବୁତ୍ତମାନେ ଅପହରଣ କରିନେଇଥିଲେ। ବୁଗୁଡ଼ା ଜଙ୍ଗଲ ଭିତରୁ ଏପ୍ରିଲ ୨୨ ତାରିଖରେ ତାଙ୍କର ମୃତଦେହ ମିଳିଥିଲା। ଏନେଇ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ରାଜସ୍ଥାନର ଭିଲୁଆଡାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଥିବା ସମୟରେ ରତ୍ନପୁର ଠାରେ ରଞ୍ଜନ ଓ ସରୋଜ ପରିସ୍ରା କରିବାକୁ ଓହ୍ଲାଇ ଥିଲେ। ହଠାତ ଜଣେ ପୋଲିସ କର୍ମଚାରୀଙ୍କ ପିସ୍ତଲ ନେଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ରଞ୍ଜନ ଓ ସରୋଜ। ପୋଲିସ ନିଜର ସୁରକ୍ଷା ପାଇଁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା। ଯେଉଁଥିରେ ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।