ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପ୍ରତି କରାଯାଇଥିବା ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଛି । ଶିକ୍ଷକମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ନିର୍ଯାତନାକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରିଛି ।
ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ଓ ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଜୁନିଅର ସେକେଣ୍ଡାରୀ ଏଜୁକେସନ୍ ସର୍ଭିସରୁ ସିନିଅର ସେକେଣ୍ଡାରୀ ଏଜୁକେସନ୍ ସର୍ଭିସକୁ ପଦୋନ୍ନତି ହୋଇଥିଲା । ଯାହା ୨୫ ଡିସେମ୍ୱର ୨୦୨୫ରେ ପ୍ରକାଶିତ ମେରିଟ୍ ଓ ଗ୍ରେଡେସନ୍ ତାଲିକାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି । ବହୁ ବରିଷ୍ଠ ଓ ଯୋଗ୍ୟ ଶିକ୍ଷକଙ୍କୁ ଅଣଦେଖା କରାଯାଇ, କନିଷ୍ଠ ଶିକ୍ଷକମାନେ ଅର୍ଥବଳ ଓ ଦୁର୍ନୀତିର ଆଶ୍ରୟ ନେଇ ପଦୋନ୍ନତି ହୋଇଛନ୍ତି ।
ଡ଼. ମହାନ୍ତି ଆହୁରି କହିଛନ୍ତି ଯେ, ଅନେକ ମହିଳା ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ବରିଷ୍ଠତା, ପାରିବାରିକ ଦାୟିତ୍ୱ ଓ ଲିଙ୍ଗଗତ ସମ୍ୱେଦନଶୀଳତାକୁ ଅବହେଳା କରି ଦୂରବର୍ତ୍ତୀ ଅଞ୍ଚଳକୁ ବଦଳି କରାଯାଇଛି । ଅପରପକ୍ଷରେ ଶାସକ ବିଜେପି ସହ ସମ୍ପୃକ୍ତ କିଛି ପୁରୁଷ ଶିକ୍ଷକଙ୍କୁ ସେମାନଙ୍କ ଘର ନିକଟସ୍ଥ ଓ ସୁବିଧାଜନକ ସ୍ଥାନରେ ବଦଳି କରାଯାଇଥିବାର ଅଭିଯୋଗ ରହିଛି । ଏହା ସରକାରଙ୍କ ପ୍ରଚଳିତ ବଦଳି ନୀତି ଏବଂ ସ୍ୱଚ୍ଛତା ଓ ନ୍ୟାୟସଙ୍ଗତାର ମୌଳିକ ନୀତିକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ସମଗ୍ର ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଏହା ଫଳରେ ରାଜ୍ୟବ୍ୟାପୀ ଶିକ୍ଷକ ସମାଜ ମଧ୍ୟରେ ଗଭୀର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି ହୋଇଛି । ପରୀକ୍ଷା ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ପରେ ବର୍ତ୍ତମାନ ବିଜେପି ସରକାର ଏକପାଖିଆ ଓ ମନମୁଖୀ ପଦୋନ୍ନତି ଏବଂ ବଦଳି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ ଓ ବୈଷମ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ପଦୋନ୍ନତି ତାଲିକାକୁ ବାତିଲ କରିବା, ପ୍ରକାଶିତ ଗ୍ରେଡେସନ୍ ତାଲିକା ଓ ବରିଷ୍ଠତା ଆଧାରରେ ସ୍ୱଚ୍ଛ ଏବଂ ମେରିଟ୍ ଭିତ୍ତିକ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ କରିବା, ନିର୍ଯାତିତ ଶିକ୍ଷକମାନଙ୍କ ଅଭିଯୋଗର ଶୁଣାଣି କରିବା, ଦୁର୍ନୀତି ଓ ପକ୍ଷପାତିତାର ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରିବା ଏବଂ ନିରପେକ୍ଷ ତଦନ୍ତ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶକଙ୍କୁ ତୁରନ୍ତ ନିଲମ୍ୱନ କରିବାକୁ ବିଜେଡି ଦାବି କରିଛି ।
ବିଜେଡି ଶିକ୍ଷକ ସମାଜ ସହ ସଦା ଦୃଢ଼ତାର ସହିତ ଛିଡ଼ା ହୋଇ ରହିବ ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନ୍ୟାୟ, ସମତା ଓ ଦାୟିତ୍ୱବୋଧ ପୁନଃ ପ୍ରତିଷ୍ଠିତ ନହେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଜ ସ୍ୱର ଉତ୍ତୋଳନ ଜାରି ରଖିବ ବୋଲି ବିଜେଡି କହିଛି ।