Bisforana:Kavisuryanagar-Jail-Death-Incident-Murder-case-should-be-registered-against-accused-police-officer-BJD

କବିସୂର୍ଯ୍ୟନଗର ହାଜତ ମୃତୁ୍ୟ ଘଟଣା ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ: ବିଜେଡି

bhubaneswar

ଗଲା ୨ ବର୍ଷରେ ଥାର୍ଡଡିଗ୍ରୀ ଯୋଗୁଁ ୧୦ ଜଣ ମୃତୁ୍ୟବରଣ କଲେଣି

ପୋଲିସ୍ ଉପରେ ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କର ନିୟନ୍ତ୍ରଣ ନାହିଁ

ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ତୁରନ୍ତ ବହିଷ୍କାର କରାଯାଉ

ଭୁବନେଶ୍ୱର, ୦୨/୦୬/୨୦୨୬: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କ ସନେ୍ଦହଜନକ ହାଜତ ମୃତୁ୍ୟ ଘଟଣା କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି । ଏହି ଘଟଣା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ପୋଲିସ୍ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମେ ୨୧ ତାରିଖରେ କବିସୂର୍ଯ୍ୟନଗର ଥାନାରେ ଏକ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଶାସକ ଦଳର କିଛି ବ୍ୟକ୍ତିଙ୍କ ନାମ ରହିଥିଲା । କିନ୍ତୁ ପୋଲିସ୍ ସେମାନଙ୍କୁ ପଚାରିବାକୁ ସାହାସ ଜୁଟାଇ ନ ପାରି ନିରୀହ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଥାନାକୁ ଡକାଇ ଦୀର୍ଘ ୬ ଦିନ ଧରି ଅମାନବୀୟ ନିର୍ଯାତନା ଦେଇଥିଲା । ମୃତ ସୁଶାନ୍ତ ସାହୁଙ୍କ ପରିବାର ସଦସ୍ୟଙ୍କ ବୟାନ ଅନୁଯାୟୀ, ସୁଶାନ୍ତଙ୍କ ନାମରେ କୌଣସି ଏଫ୍ଆଇଆର ନଥିବା ସତ୍ତ୍ୱେ ଥାନାରେ ତାଙ୍କୁ ପ୍ରବଳ ମାଡ଼ ମାରି ତାଙ୍କ ଶରୀର ଉପରେ ଲଙ୍କାଗୁଣ୍ଡ ଓ ଗରମ ପାଣି ପକାଇ ଥାର୍ଡଡିଗ୍ରୀ ପ୍ରୟୋଗ କରିଥିଲା ପୋଲିସ୍ । ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ଓ ଏମକେସିଜି ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତୁ୍ୟ ଘଟିଥିଲା । ଘଟଣାକୁ ଦୁଇ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ କୌଣସି ଏଫ୍ଆଇଆର ରୁଜୁ କରାଯାଇନାହିଁ । କିଛି କର୍ମଚାରୀଙ୍କୁ ନିଲମ୍ୱନ ଓ ବଦଳି କରିଦେଇ ଚୁପ୍ ହୋଇ ବସିରହିଛନ୍ତି ରାଜ୍ୟ ସରକାର ।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ ଯେ, ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ହେବା ତ ଦୂରର କଥା, ପୋଲିସ୍ର ଏଭଳି ଅପରାଧିକ କାର୍ଯ୍ୟ ଲାଗି ଜିଲ୍ଲାବାସୀ ତଟସ୍ଥ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ରାଜ୍ୟର ପୋଲିସ୍ ବ୍ୟବସ୍ଥା । ଲଗାତାର ଭାବେ ରାଜ୍ୟତମାମ ପୋଲିସ୍ର ଏଭଳି କାର୍ଯ୍ୟ ଦର୍ଶାଉଛି ଯେ, ପୋଲିସ୍ ଡିଜିଙ୍କ କଥାକୁ କେହି ଖାତିର କରୁନାହାନ୍ତି, ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ । ପୋଲିସ୍ ଡିଜି, ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଓ ବ୍ରହ୍ମପୁର ଏସ୍ପି ତଥା କବିସୂର୍ଯ୍ୟନଗର ଆଇଆଇସି ସମସ୍ତେ ଅଣଓଡ଼ିଆ ହୋଇଥିବାରୁ ଆଜି ଜଣେ ନିରୀହ ଭିନ୍ନକ୍ଷମ ଓଡ଼ିଆ ଯୁବକଙ୍କୁ ପୋଲିସ୍ ହାଜତରେ ମୃତୁ୍ୟବରଣ କରିବାକୁ ପଡ଼ିଲା । ଏହା ହେଉଛି ରାଜ୍ୟ ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତାର ପରିଚୟ । ଘଟଣାରେ ସମ୍ପୃକ୍ତ ସମସ୍ତ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ ଏବଂ ସୁଶାନ୍ତ ସାହୁଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେବା ସହ ଦୀର୍ଘମିଆଦି ସାମାଜିକ ସୁରକ୍ଷା ପ୍ରଦାନ କରନ୍ତୁ । ଘଟଣାର ସମସ୍ତ ତଥ୍ୟ ସାର୍ବଜନୀନ କରି ଲୋକଙ୍କ ମନରୁ ସନେ୍ଦହ ଦୂର କରନ୍ତୁ ସରକାର । ଯଦି ସୁଶାନ୍ତ ସାହୁଙ୍କ ପରିବାରକୁ ସରକାର ନ୍ୟାୟ ନ ଦିଅନ୍ତି, ତେବେ ପରିବାରକୁ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ ତାହାର ଲଢ଼େଇ ଜାରି ରଖିବ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦଳର ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ରଞ୍ଜିତା ସାହୁ ଓ ଗଞ୍ଜାମ ଜିଲ୍ଲା ଯୁବ ସଭାପତି ଶ୍ରୀ ନଚିକେତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

0 Comments

Leave A Reply