ଲୋକଙ୍କ ସମସ୍ୟା ସମାଧାନର ବିବରଣୀ ସାର୍ବଜନୀନ କରାଯାଉ
ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଦୁଇ ବର୍ଷରେ ମାତ୍ର ୧୮ଥର ଉପସ୍ଥିତ
ଭୁବନେଶ୍ୱର, ୦୨/୦୬/୨୦୨୬: ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହେଉଛି ବୋଲି ସରକାର ଦାବି କରୁଛନ୍ତି । କିନ୍ତୁ ଏହାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ଯଦି ୯୬ ପ୍ରତିଶତ ଅଭିଯୋଗର ସମାଧାନ ହେଉଛି ତାହା ହେଲେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିବାର ଅସୁବିଧା କେଉଁଠି ରହିଲା?
ଦୁଇ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଏହି ସରକାର କ୍ଷମତାରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମାତ୍ର ୧୮ ଥର ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଛନ୍ତି । ଏପରି ପରିସ୍ଥିତିରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ଦାବି କେଉଁ ଆଧାରରେ କରାଯାଉଛି? ଯଦି ପ୍ରକୃତରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି, ସରକାର ଅତି କମରେ ୯୬ ଜଣ ଉପକୃତ ନାଗରିକଙ୍କ ନାମ ଓ ବିବରଣୀ ସାର୍ବଜନୀନ କରନ୍ତୁ ।
କେବଳ ଅଭିଯୋଗକୁ ଜିଲ୍ଲାପାଳ କିମ୍ୱା ସମ୍ପୃକ୍ତ ବିଭାଗକୁ ପଠାଇ ଦେଇ ସମାଧାନ ହେଉଛି ବୋଲି ଗଣାଯାଉଛି କି? ନା ପ୍ରକୃତରେ ଲୋକଙ୍କ ସମସ୍ୟାର ସ୍ଥାୟୀ ନିରାକରଣ ହେଉଛି? ଦାବିକୁ କେବଳ ପରିସଂଖ୍ୟାନ ମାଧ୍ୟମରେ ନୁହେଁ, ବରଂ ସମାଧାନ ହୋଇଥିବା ମାମଲାଗୁଡ଼ିକର ବିସ୍ତୃତ ତଥ୍ୟ ପ୍ରକାଶ କରିବାର ଆବଶ୍ୟକ ଅଛି । ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଉଛି ଯେ, ସରକାର ଅତିକମରେ ସେହି ୯୬ ପ୍ରତିଶତ ସମାଧାନ ହୋଇଥିବା ଅଭିଯୋଗର ତାଲିକା ଏବଂ ସେଗୁଡ଼ିକର ନିରାକରଣ ସମ୍ପର୍କିତ ବିସ୍ତୃତ ବିବରଣୀ ସାର୍ବଜନୀନ କରନ୍ତୁ ।