ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ: ରାଜ୍ୟପାଳ
ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ଗୁରୁବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ଯୋଗ ଦେଇ ମାନ୍ୟବର ରାଜ୍ୟପାଳ ଏହା କହିଛନ୍ତି I
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଯୁବପିଢ଼ି ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରାଚୀନ ଭାରତୀୟ ଉକ୍ତି "ସେବା ପରମୋ ଧର୍ମ" ସମ୍ପର୍କରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ। ଏହି ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଖୁସି ପ୍ରକାଶ କରିବା ସହିତ ଏହି ଅବସରକୁ ଯୁବ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ସମର୍ପଣ ଏବଂ ସଫଳତାକୁ ପାଳନ କରିବା ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ।
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ମୁଖ୍ୟ ପୃଷ୍ଠପୋଷକ (ଚିଫ ପାଟ୍ରନ) ଏବଂ ପ୍ରଥମ ଗାଇଡ୍ ଭାବରେ ରାଜ୍ୟପାଳ କହିଥିଲେ ଯେ ରାଜ୍ୟ ପୁରସ୍କାର କେବଳ ଏକ ପୁରସ୍କାର ନୁହେଁ ବରଂ ସମାଜ ଏବଂ ଦେଶ ପ୍ରତି ଚରିତ୍ର, ଦୃଢ଼ତା ଏବଂ ପ୍ରତିବଦ୍ଧତାର ପ୍ରତୀକ। ଏହି ସମ୍ମାନ କରୁଣା, ଦଳଗତ କାର୍ଯ୍ୟ, ଦାୟିତ୍ୱ ଏବଂ ଦେଶପ୍ରେମ ଭଳି ମୂଲ୍ୟବୋଧକୁ ପ୍ରତିଫଳିତ କରେ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷ ଆନ୍ତରିକତା, କଠିନ ପରିଶ୍ରମ ଏବଂ ମାନବ ସମାଜ ପ୍ରତି ଉତ୍ସର୍ଗୀକୃତ ସେବା ମାଧ୍ୟମରେ ଏହି ମାନ୍ୟତା ପାଇଛନ୍ତି। ପିଲାମାନଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଏବଂ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ।
ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଅଭିଯାନକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ଏହା ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ଜୀବନ କୌଶଳ, ପରିବେଶଗତ ସଚେତନତା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି।। ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ସଚେତନତା ଅଭିଯାନ, ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶାରେ ଚାରି ଲକ୍ଷରୁ ଅଧିକ ସ୍କାଉଟ୍ସ ଏବଂ ଗାଇଡ୍ସ ସମେତ ଦେଶବ୍ୟାପୀ ସଂଗଠନର ୭.୫ ନିୟୁତରୁ ଅଧିକ ସଦସ୍ୟଙ୍କର ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ରାଜ୍ୟ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଯୁବ କୃତିତ୍ୱ ହାସଲକାରୀଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ, ୟୁନିଟ୍ ଲିଡର ଏବଂ ଅଧିକାରୀମାନଙ୍କ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ଓଡ଼ିଶା ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପାଧ୍ୟକ୍ଷ ଶ୍ରୀ କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ବିଭିନ୍ନ ବର୍ଗରେ କୃତିତ୍ୱ ହାସଲକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।