Bisforana:Dengue-concerns-12-hour-control-room-to-open-at-BMC-headquarters-from-June

ଡେଙ୍ଗୁ ଚିନ୍ତା , ଜୁନ୍ ଆରମ୍ଭରୁ ବିଏମ୍ ସି ମୁଖ୍ୟାଳୟରେ ଖୋଲିବ 12 ଘଣ୍ଟିଆ କଣ୍ଟ୍ରୋଲ ରୁମ୍

bhubaneswar

 ପ୍ରାକ୍ ମୌସୁମୀ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍ ସିର ପ୍ରସ୍ତୁତି ବୈଠକ

ଜନ ସଚେତନତା ଉପରେ ଗୁରୁତ୍ୱ ।

ପ୍ରତି ଶୁକ୍ରବାର ଦିନ ପାଳିତ ହେବ ଡ୍ରାଏ ଡେ

ତୃଣମୂଳସ୍ତରରେ ହେବ ଅଣୁ ଯୋଜନା

ଜୁନ୍ ଆରମ୍ଭରୁ ବିଏମ୍ ସି ମୁଖ୍ୟାଳୟରେ ଖୋଲିବ 12 ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର;ତା 21-05-2026 ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଏବଂ ଡେଙ୍ଗୁ ପ୍ରତିଶେଧକ ବ୍ୟବସ୍ଥା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବର୍ଷା ଋତୁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ନେଇ ଆଲୋଚନା କରାଯାଇଥିଲା । ତୃଣମୂଳସ୍ତରରୁ ରୋଗ ପ୍ରତିଶେଧକ ଏବଂ ଡେଙ୍ଗୁ ନିୟନ୍ତ୍ରଣ ନେଇ ଯୋଜନା କରିବା ସଂପର୍କରେ ଆଲୋଚନା କରାଯାଇଛି । 

ଏହି ବୈଠକରେ ଭେକ୍ଟର ବାହୀତ ରୋଗ ନିୟନ୍ତ୍ରଣ ଏବଂ ଡେଙ୍ଗୁ ରୋଗରୁ ରକ୍ଷା ପାଇବା ପାଇଁ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଏହି କାର୍ଯ୍ୟକ୍ରମରେ ବିଏମ୍ ସିର ସମସ୍ତ ଚିକିତ୍ସା ଅଧିକାରୀ, ପରିଚାଳନା କର୍ମଚାରୀ, ସ୍ୱେଚ୍ଛାସେବୀ, ଆଶା କର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ମହିଳା ଆରୋଗ୍ୟ ସମିତି ସଦସ୍ୟଙ୍କ ଭଳି ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା କର୍ମୀଙ୍କୁ ସାମିଲ କରାଯିବ । ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟରେ ପ୍ରଚାର ପ୍ରସାର ସହ ରେଡିଓ ଜିଙ୍ଗଲ, ଡୋର ଟୁ ଡୋର ଗାଡି ଇଦ୍ୟାଦି ମାଧ୍ୟମରେ ଡେଙ୍ଗୁରୋଗର ପ୍ରତିରୋଧ ସଂପର୍କରେ ପ୍ରଚାର ପ୍ରସାର କରାଯିବ ।  ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ମାଇକ୍ରୋ ପ୍ଲାନ କରାଯିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ, ଶିକ୍ଷା ବିଭାଗ ସହ ସମନ୍ୱୟ ରକ୍ଷାକରି ସଂପୃକ୍ତ ମେଡିକାର ଅଫିସରଙ୍କ ଦ୍ୱାରା ପ୍ରାର୍ଥନା କ୍ଲାସରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ରୋଗର ସମ୍ବେଦନଶୀଳତା ସଂପର୍କରେ ଅବଗତ କରାଯିବ । 

ମଶା ପ୍ରଜନନ ଉତ୍ସଗୁଡିକୁ ଚିହ୍ନଟ କରିବା ଏବଂ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଏହି ଉତ୍ସଗୁଡିକର ବିରୋଫ ପାଇଁ ଉଭୟ ଘରୋଇ ଏବଂ ଘରୋଇ ସର୍ବେ କରିବାକୁ ନିଷ୍ପତ୍ତି ହୋଇଛି । ତିନି ମାସ ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । 20ଟି ଟିମ୍  ଗଠନ କରାଯାଇ ପ୍ରତିଦିନ 40ଟି ଘରକୁ ପ୍ରତ୍ୟେକ ଟିମ୍  ଯାଇ ସଚେତନ କରାଇବେ । ଡେଙ୍ଗୁର ଉତ୍ସଗୁଡିକୁ ହ୍ରାସ କରିବା ପାଇଁ ସେମାନେ ମଧ୍ୟ ସଚେତନତା ସୃଷ୍ଟି କରିବେ । ପ୍ରତ୍ୟେକ ଓ୍ୱାର୍ଡରେ ଡେଙ୍ଗୁ ଦିବସ ପାଳନ କରାଯିବ । କର୍ପୋରେଟରଙ୍କ ଅଧ୍ୟକ୍ଷତାରେ ଆଶାକର୍ମୀ, ସ୍ୱଚ୍ଛସାଥୀ, ଆରଡବ୍ଲ୍ୟୁଏ ଏବଂ ସମସ୍ତ ବିଭାଗର ପ୍ରତିନିଧିଙ୍କର ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ମାର୍କେଟ ଆସୋସିଏସନ, ଆବାସିକ କଲ୍ୟାଣ ସଂଗଠନର କର୍ମକର୍ତ୍ତା ତଥା ସଦସ୍ୟ, ସଦସ୍ୟା, ବସ୍ତି ବାସିନ୍ଦା ସଂଘଙ୍କୁ ମଧ୍ୟ ସାମିଲ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ମଲ, ପାର୍କ, ବସ୍ ଷ୍ଟାଣ୍ଡ, ବିବାହ, ସମିଳନୀ, ମନ୍ଦିର, ଫୁଡ୍ କୋର୍ଟ, ନିର୍ମାଣକାରୀ ସଂସ୍ଥା ଆଦିଙ୍କୁ ସେମାନଙ୍କ ପରିସରରୁ ମଶା ପ୍ରଜନନ ଉତ୍ସଗୁଡିକୁ ହଟାଇବା ପାଇଁ ଅନୁରୋଧ କରାଯିବ । ଏହା ବ୍ୟତୀତ ସମସ୍ତ ସନ୍ଦିଗ୍ଧ ଡେଙ୍ଗୁ ମାମଲା ନିର୍ଦ୍ଦିଷ୍ଟ ସେଣ୍ଟିନେଲ ସାଇଟରେ ପରୀକ୍ଷା କରାଯିବ । ଆର୍.ଏମ୍. ଆର୍.ସି, ଏମ୍ସ, କ୍ୟାପିଟାଲ ହସ୍ପିଟାଲ, ପଟିଆ ୟୁ.ସି.ଏଚ୍.ସି, ନୟାପଲ୍ଲୀ ୟୁ.ପି.ଏଚ୍.ସି ଆଦିରେ ରକ୍ତ ନମୂନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ଡେଙ୍ଗୁ ରୋଗ ଚିହ୍ନଟ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ଅନୁସନ୍ଧାନ ଏବଂ ଏହା ଯେପରି ଅନ୍ୟକୁ ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ନିଆଯିବ । ପ୍ରତି ଶୁକ୍ରବାରକୁ ଡ୍ରାଏ ଡେ ଭାବେ ପାଳନ କରାଯିବ । ଗତ ବର୍ଷ ଚିହ୍ନଟ ହୋଇଥିବା ହଟସ୍ପଟ  ସହ ଅନ୍ୟ ସାମ୍ଭାବ୍ୟ ହଟସ୍ପଟଗୁଡିକର ମଧ୍ୟ ସମୀକ୍ଷା କରାଯିବ ।  

ଜୁନ୍ ଆରମ୍ଭରୁ ବିଏମ୍ ସି ମୁଖ୍ୟାଳୟରେ 12 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ । ଏଥିରେ ବିଏମ୍ ସି ସ୍ୱାସ୍ଥ୍ୟ ଉପାୟୁକ୍ତଙ୍କ, ୟୁଏମ୍ଏସ୍ ୟୁ, ଏନ୍ ୟୁ ଏଚ୍ ଏମ୍ ଓ ଓ୍ୱାଟକୋର ପ୍ରତିନିଧିମାନେ ଉପସ୍ଥିତ ରହିବେ । 

ଏଠାରେ ସୂଚନା ଯୋଗ୍ୟକି ଗତ ବର୍ଷ ବିଏମ୍ ସି ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା 327 ମଧ୍ୟରେ ସିମୀତ ଥିଲା ବେଳେ ଚଳିତ ବର୍ଷ ଯେପରି 200 ଭିତରେ ରୁହେ, ତାହାକୁ ଦୃଷ୍ଟିରେ ରଖି ସମସ୍ତେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । 

ଏହି ବୈଠକରେ  ବିଏମସି  ଏବଂ  ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l

0 Comments

Leave A Reply