ବାଲିଅନ୍ତାର ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲାରେ ପ୍ରତିଦିନ ଗିରଫଦାରୀଙ୍କ ସଂଖ୍ୟା ବଢ଼ୁଛି । ଗୁରୁବାର ପୁଣି ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗଣେଶ୍ୱର ଗଡ଼ାର ଅଲେଖ ଚନ୍ଦ୍ର ଜେନାଙ୍କ ପୁଅ ଅଶୋକ ଜେନା ଓରଫ୍ ଗେଡ଼ (୪୫) । ସୁଚନାନୁଯାୟୀ ମେ’ ୭ ତାରିଖରେ ସୌମ୍ୟରଞ୍ଜନ ଏକ ଝିଅକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ସୌମ୍ୟଙ୍କ ହାତ ଓ ଗୋଡ଼କୁ ବାଉଁଶରେ ବାନ୍ଧି ଅତି ଅମାନୁଷିକଭାବେ ଅତ୍ୟାଚାର କରାଯାଇଥିଲା । ଆଉ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ସମେତ ୧୬ ଜଣ ଗିରଫ ହୋଇସାରିଲେଣି । ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ପଞ୍ଚାନନ ବଡ଼ଜେନା ଏବଂ ରଞ୍ଜିତ ରଣାଙ୍କୁ ନୟାଗଡ଼ ରଣପୁର ଜଙ୍ଗଲ ଅଞ୍ଚଳରୁ ଗିରଫ କରାଯାଇଥିଲା । ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ସିସିଟିଭି ଫୁଟେଜ ଏବଂ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଜଣକ ପରେ ଜଣେ ଲୁଚି ରହିଥିବା ଅଭିଯୁକ୍ତଙ୍କୁ ଗିରଫ କରୁଛି।