Bisforana:BMCs-comprehensive-measures-to-protect-against-summer-heat

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ବିଏମ୍ ସିର ବ୍ୟାପକ ପଦକ୍ଷେପ

bhubaneswar

        ଅପେକ୍ଷାରତ ବସ ଯାତ୍ରୀମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଉଦଘାଟିତ ହେଲା ସ୍ୱତନ୍ତ୍ର ବେଣାଚେର ପରଦାର ବସ୍ କ୍ୟୁ ସେଲଟର । ଏହି ଉପଲକ୍ଷେ ବିଏମ୍ ସି ମୁଖ୍ୟାଳୟ ସମ୍ମୁଖରେ ଥିବା ବସଷ୍ଟାଣ୍ଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ରଂଜୁଲତା ରାୟ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସହରର 10 ଗୋଟି ପ୍ରମୁଖ ବସ ଷ୍ଟପରେ ଏହି ସ୍ୱତନ୍ତ୍ର ବେଣାଚେରେ ତିଆରି ହୋଇଥିବା ବସ୍ କ୍ୟୁ ସେଲଟର ଉଦଘାଟିତ ହୋଇଯାଇଛି । ସେଗୁଡିକ ମଧ୍ୟରେ ରୂପାଲୀ ଛକ, ବାଣୀବିହାର ନିକଟ ଓ୍ୱାଟକୋ ଅଫିସ୍ ସମ୍ମୁଖ, ବାଣୀବିହାର ପାଣ୍ଟାଲୁନ୍ ସମ୍ମୁଖ, ରସୁଲଗଡ, ଜୟଦେବ ବିହାର ଛକ, ଡମଣା ଛକ (ଜୟଦେବ ବିହାର ଆଡକୁ), ଡମଣାଛକ (ପଟିଆ ଆଡକୁ), ରାଜଧାନୀ କଲେଜ୍ ଗେଟ୍ ସମ୍ମୁଖ, ରାଜଧାନୀ କଲେଜ (ଫାୟାର ଷ୍ଟେସନ ଆଡକୁ)ଆଦି ସ୍ଥାନରେ ନିର୍ମାଣ କରାଯାଇଛି । ଏହି ବେଣା ଚେର ନିର୍ମିତ ବସ୍ କ୍ୟୁ ସେଲଟରେରେ ଦୈନିକ 3 ଥର ଲେଖାଏଁ ପାଣି ଦିଆଯାଉଛି । ଯାହା ଫଳରେ କେବଳ ତା ଭିତର ନୁହେଁ, ପାର୍ଶ୍ୱବର୍ତ୍ତି ଅଂଚଳ ମଧ୍ୟ ଥଣ୍ଡା ରହୁଛି । ଦୀର୍ଘ ସମୟ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅପେକ୍ଷା କରିବାକୁ ପଡୁଛି । ଏବେ ଲୋକମାନେ ଟିକେ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ସହରରେ ଆଉ 20 ଗୋଟି ସ୍ଥାନରେ ଏହି  ଶୀତଳ  ବସ  ଷ୍ଟପ୍ କରାଯିବ ବୋଲି ସୂଚନା ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହରୁ ଜନସାଧାରଣଙ୍କ ସହ ବୁଲା ପଶୁ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବିଏମ୍ ସି ବ୍ୟାପକ ପଦକ୍ଷେପ ନେଇଛି ।  ଦୀର୍ଘସ୍ଥାୟୀ ଏବଂ ପ୍ରାକୃତିକ ଉପାୟରେ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ ଜାରି ରଖିଛି । ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଟ୍ରାଫିକ୍ ଛକରେ ସ୍ୱତନ୍ତ୍ର ସ୍ଥାୟୀ ସେଡ୍ ନିର୍ମାଣ କରାଯାଇଛି । ଫଳରେ ପଥଚାରୀମାନେ ଟ୍ରାଫିକ୍ ଛକରେ ଖରା ଓ ବର୍ଷାରୁ ରକ୍ଷା ପାଇପାରିବେ । ଏଜି ଛକଠାରେ ଏହା ସଂପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ରୂପାଲୀ ଛକ ଓ ପାଓ୍ୱାର ହାଉସ ଛକରେ ସେଡ୍ କାର୍ଯ୍ୟ ଚାଲୁରହିଛି । ସେହିପରି ବିଭିନ୍ନ ଅଂଚଳରୁ ଆସୁଥିବା ଲୋକେ କିମ୍ବା ବିଭିନ୍ନ ସ୍ଥାନକୁ ଯିବାପାଇଁ ବସ୍ ଷ୍ଟାଣ୍ଡରେ ଲୋକମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଫଳରେ ଲୋକମାନେ ଅସୁସ୍ଥତା ଅନୁଭବ କରୁଛନ୍ତି । ସେଥିରୁ ରକ୍ଷା ପାଇବା ପାଇଁ କଳ୍ପନା ଓ ଫାୟାରଷ୍ଟସନ ଛକଠାରେ ଦୁଇଟି ଶୀତଳ ବିଶ୍ରାମ ସ୍ଥଳ ଖୋଲାଯାଇଛି । ଲୋକମାନେ ଏହିଠାରେ କିଛି ସମୟ ପାଇଁ ଆଶ୍ରୟ ନେଇ ଖରାରୁ ରକ୍ଷା ପାଇପାରୁଛନ୍ତି । ଏହି ଶୀତଳ ବିଶ୍ରାମସ୍ଥଳଗୁଡିକୁ ଏସି ବଦଳରେ ବେଣା ଚେରଦ୍ୱାରା ଥଣ୍ଡା କରାଯାଉଛି । ଯାହା ଫଳରେ ପରିବେଶ ସୁରକ୍ଷିତ ରହିବା ସହ ପ୍ରାକୃତିକ ଉପାୟରେ ଲୋକମାନେ ଥଣ୍ଡା ପବନ ପାଇପାରୁଛନ୍ତି । ଏହି ବେଣା ଚେରରେ ପାଣି ଦେବା ପାଇଁ ସ୍ୱତନ୍ତ୍ର ଭାବେ ଲୋକଙ୍କୁ ନିୟୋଜିତ କରାଯାଇଛି । 

                 ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି । ସେମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଏମ୍ ସି ପକ୍ଷରୁ ସହରର 40ଟି ଜନ ଗହଳୀପୂର୍ଣ୍ଣସ୍ଥାନରେ ସୋଲାର ଓ୍ୱାଟର କିଓସ୍କ ସ୍ଥାପନ କରାଯାଇଅଛି । ଫଳରେ ଲୋକମାନେ ଏଠାରୁ ଥଣ୍ଡା ପାନୀୟ ଜଳ ପାଇପାରୁଛନ୍ତି । ଏହା ଦ୍ୱାରା ବିଦ୍ୟୁତ୍ ସଂଚୟ ହେବା ସହ ସୌରଶକ୍ତିର ସୁବିନିଯୋଗ କରାଯାଉଛି । ଅନ୍ୟପକ୍ଷରେ ପରିବେଶର ମଧ୍ୟ ସୁରାକ୍ଷା ହୋଇପାରୁଛି । କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଜଳଛତ୍ର ମଧ୍ୟ ଖୋଲାଯାଇ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । 

କେବଳ ମଣିଷମାନଙ୍କ ପାଇଁ ନୁହେଁ, ବୁଲା ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଜଳ ବ୍ୟବସ୍ଥା କରାଯାଇଛି । ବୁଲା ଗାଈଗୋରୁ, କୁକୁର, ବିରାଡି, ମାଙ୍କଡ ଆଦି ପଶୁମାନଙ୍କ ପାଇଁ ବିଭିନ୍ନସ୍ଥାନରେ କୁଣ୍ଡରେ ନିୟମିତ ପାଣି ରକ୍ଷାଯାଉଥିବା ବେଳେ, ଚଢେଇମାନଙ୍କ ପାଇଁ ବିଭିନ୍ନ ଗଛ ଓ ସେମାନଙ୍କର ସମାଗମ ସ୍ଥାନରେ ଜଳ ବ୍ୟବସ୍ଥା କରାଯାଇଛି । ଏପରକି ଚଢେଇମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ବସା ତିଆରି କରି ଗଛଗୁଡିକରେ ରଖାଯାଉଛି । ଫଳରେ ଚଢେଇମାନେ ସେହିସବୁ ବସାରେ ଆଶ୍ରୟ ନେଉଛନ୍ତି । ଏହା ବ୍ୟତୀତ ବିଏମ୍ ସି ପାର୍କଗୁଡିକରେ ମଧ୍ୟ ପଶୁପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା କରାଯାଇଛି ।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥରେ ସ୍ମାର୍ଟ ବେଞ୍ଚ ମଧ୍ୟ ନିର୍ମାଣ କରାଯାଇଛି । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଉପରେ ଛାତ ମଧ୍ୟ ରହିଛି । କେବଳ ସେତିକି ନୁହେଁ, ପଥଚାରୀମାନେ ଏଠାରେ ମଧ୍ୟ ମୋବାଇଲ ଚାର୍ଜ କରିବାର ବ୍ୟବସ୍ଥା ରହିଛି । ଫଳରେ ଲୋକମାନେ ସଂଧ୍ୟା ସମୟରେ ସ୍ମାର୍ଟ ବେଞ୍ଚର ମଜ୍ଜା ନେଉଛନ୍ତି । 

ବୁଦ୍ଧ ବିହାର, ସୁବୁଦ୍ଧିପୁର, ନିଳାଦ୍ରୀ ବିହାର ଆଦି ହାଉସିଂ ପ୍ରକଳ୍ପ, ବିଏମ୍ ସିର ସମସ୍ତ ଓ୍ୱାର୍ଡ ଅଫିସ, କମ୍ୟୁନିଟ୍ ସେଣ୍ଟର ଆଦି ଗୃହର ଛାତ ଉପରେ ରୁଫ୍ ଟପ୍ ହ୍ୱାଇଟନର ପ୍ରଲେପ ଦିଆଯାଇଛି । ଏହା ଦ୍ୱାରା ସେହି ଛାତତଳେ ରହୁଥିବା ଲୋକମାନେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇପାରିବେ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ଆଗାମୀ ଦିନରେ ଅନ୍ୟ କେତେକ ପ୍ରମୁଖ ବସ୍ ରହଣିସ୍ଥଳରେ ଏହି ପରି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । 

ସ୍ୱଚ୍ଛ କର୍ମୀମାନେ ଦୈନିକ ବଢିଭୋରୁ ଆସି ରାସ୍ତା ସଫାକରୁଛନ୍ତି । ତେଣୁ, ସେମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଓ୍ୱାର୍ଡରେ ମଲ୍ଟି ପରପୋଜ୍ ରେଷ୍ଟ ସେଡ୍ ନିର୍ମାଣ କରାଯାଇଛି । କୌଣସି ସ୍ୱଚ୍ଛ ସୈନିକଙ୍କର କୌଣସି ଅସୁବିଧା ହେଲେ, ସେମାନେ ସେହିଠାରେ ବିଶ୍ରାମ ନେଇପାରିବେ । 

କୌଣସି ବ୍ୟକ୍ତି ଅଂଶୁଘାତରେ ଆକ୍ରାନ୍ତ ହେଲେ, କ୍ୟାପିଟାଲ ହସପିଟାଲ ସହ ବିଏମ୍ ସିର ସମସ୍ତ ହସପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡାକ୍ତରଙ୍କ ସହ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିକ କରାଯାଇଛି। ଚିକିତ୍ସା ପାଇଁ ସ୍ୱତନ୍ତ୍ର କକ୍ଷ ଏବଂ ଔଷଧ ପତ୍ର ମହଜୁଦ୍ ରହିଛି ।

0 Comments

Leave A Reply