ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନଠାରେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ବିସ୍ଥାପନ ବ୍ୟବସ୍ଥା ଓ କ୍ଷତିପୂରଣ ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜେଏସଡବ୍ଲ୍ୟୁ ଲୌହ ପ୍ଲାଣ୍ଟ ଉଦଘାଟନ କରିବା ଦୁର୍ଭାଗ୍ୟ ଜନକ l
ବାଲିକୁଦା ଏରସମା ଅଞ୍ଚଳର ପାନ, ମୀନ ଓ ଧାନ ଚାଷ କରୁଥିବା କୃଷକ ଏବଂ ଜଙ୍ଗଲରେ ବାସ କରୁଥିବା ଅଧିବାସୀ ପୋସ୍କୋ ଆନ୍ଦୋଳନ ସମୟରୁ ଦୀର୍ଘ 22 ବର୍ଷ ହେଲା ସେମାନଙ୍କ ଅଧିକାରର ସଂଘର୍ଷ କରି ଆସୁଛନ୍ତି l ବର୍ତ୍ତମାନ ଜେଏସଡବ୍ଲ୍ୟୁର ଦମନମୂଳକ ତଥା ସରକାରଙ୍କ ଉପେକ୍ଷାର ଶିକାର ହୋଇ ଦୀର୍ଘ 8 ଦିନ କାଳ 45 ଡିଗ୍ରୀ ମୁଣ୍ଡଫଟା ଖରାରେ କୁଜଙ୍ଗଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଶହ ଶହ ନର ନାରୀ ନ୍ୟାୟପଥେ ଗାନ୍ଧୀ ପଦଯାତ୍ରା କରିଥିଲେ l ସରକାର ସେମାନଙ୍କ ଦୁଃଖ ଶୁଣିବ ଓ ନ୍ୟାୟ ପ୍ରଦାନ କରିବ ବୋଲି କିନ୍ତୁ ସରକାର ଓଲଟା କଟା ଘାଆରେ ଚୂନ ଦେଲା ପରି ସେଠାକାର ଅଧିବାସୀଙ୍କୁ ଜମି ପଟ୍ଟା ବ୍ୟବସ୍ଥା ନ କରି, କ୍ଷତି ପୂରଣ ଆକଳନ ନ କରି ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁର ପ୍ଲାଣ୍ଟ ଉଦଘାଟନ କରିବା ଅତି ନିନ୍ଦନୀୟ ବିଷୟ l ସରକାର ଏରସମା-ବାଲିକୁଦା ଅଞ୍ଚଳ ଲୋକଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି l
ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ , କୃଷକ, ଦଳିତ ଓ ଆଦିବାସୀଙ୍କ ପ୍ରତି କେତେ ସମବେଦନା ଅଛି ସୂଚାଇ ଦେଉଛି l
ମୁଖ୍ୟମନ୍ତ୍ରୀଙ୍କ କମ୍ପାନୀ ପ୍ରିତୀ ଯୋଗୁଁ ଆଜି ସାରା ରାଜ୍ୟରେ ଆଦିବାସୀ, ଗରିବ, ଦଳିତ ଓ କୃଷକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି l ସମସ୍ତେ ତିଳ ତିଳ ହୋଇ କାଳାତିପାତ କରିବାକୁ ଛାଡି ଦିଆଯାଉଛି l
ଯଦି ସରକାର ନିରୀହ ଜନତାଙ୍କ ଅଧିକାର ଛଡେଇ ନେବେ, ଉପେକ୍ଷା କରିବେ ତେବେ ସାରା ରାଜ୍ୟରେ ସରକାରଙ୍କ ବିରୋଧରେ ଘୋର କିନ୍ତୁ ଅହିଂସାତ୍ମକ ଆନ୍ଦୋଳନ ବ୍ୟାପିବ ଓ ଏହାର ପରିଣାମ ସରକାର ଭୋଗିବ ବୋଲି ଶ୍ରୀ ଦାସ କହିଛନ୍ତି l