Bisforana:Workshop-on-Odisha-ITITES-Roadmap-2030-Preparation

ଓଡ଼ିଶା ଆଇ.ଟି./ଆଇ.ଟି.ଇ.ଏସ୍‍. ରୋଡମ୍ୟାପ୍-୨୦୩୦ ପ୍ରସ୍ତୁତି ଉପରେ କର୍ମଶାଳା

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ‘ଓଡ଼ିଶାର ଆଇ.ଟି./ଆଇ.ଟି.ଇ.ଏସ୍. ରୋଡ଼ମ୍ୟାପ୍’ ପ୍ରସ୍ତୁତି ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ସହ ଏକ ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । 

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ମନ୍ତ୍ରୀ ଡ଼ଃ ମହାଲିଙ୍ଗ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଆଭିମୁଖ୍ୟକୁ ସାକାର କରିବାପାଇଁ ଏବଂ ଆଇ.ଟି. ପରିବେଶର ଭବିତବ୍ୟ ବିକାଶ ପାଇଁ ଓଡ଼ିଶା ସରକାର ଅଙ୍ଗୀକାରବଦ୍ଧ । ଇଣ୍ଡିଆ ଏ.ଆଇ. (କୃତ୍ରିମ ବୁଦ୍ଧିମତା) ମିଶନ ସହ ସମନ୍ୱିତ କରାଯାଇ ରାଜ୍ୟରେ ଏ.ଆଇ. ନୀତି ପ୍ରବର୍ତ୍ତନ ଓ ଆଇ.ଟି. ପଲିସି ଗ୍ରହଣ ସହିତ ସରକାର ନବସୃଜନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ ରାଜ୍ୟରେ ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି । ଏ.ଆଇ. ନୀତି ପ୍ରବର୍ତ୍ତନ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ନୀତି ଫଳରେ ରାଜ୍ୟରେ ଏ.ଆଇ. ଷ୍ଟାର୍ଟଅପ୍‍ ବଳୟର ବିକାଶ ଘଟିବ ଏବଂ ସ୍ଥାନୀୟ ଯୁବକ-ଯୁବତୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ରାଜ୍ୟକୁ ବାହାରୁ ପୁଞ୍ଜି ଆସିବା ସହ ଆମେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିପାରିବୁ ବୋଲି ସେ କହିଥିଲେ । 

କର୍ମଶାଳାରେ ଶ୍ରୀ ବିଶାଳ କୁମାର ଦେବ କହିଥିଲେ ଯେ, ଏ.ଆଇ. ନୀତି ଏବଂ ଆଗାମୀ ଜି.ସି.ସି. ଓ ଫିନଟେକ୍ ନୀତିର ଶୁଭାରମ୍ଭ କରିବା ସହିତ ଏହି ନୀତିକୁ ସକ୍ରିୟ ଭାବରେ ଆଗକୁ ବଢ଼ାଇ ଏକ ନୂଆ ପରିବେଶ ସୃଷ୍ଟି ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ୮ଟି ପ୍ରମୁଖ ସହରରେ ଟେକ୍ ଟାୱାର ସ୍ଥାପନ ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି । ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଆଇଟି ପାର୍କ ବିକାଶ ପାଇଁ ଆବଶ୍ୟକ ମୁତାବକ ଜମି ଅଧିଗ୍ରହଣ କରାଯାଉଛି । ଏହା ସହିତ ସିଙ୍ଗାପୁର ସହଯୋଗରେ ପୁରୀରେ କେବୁଲ ଲାଣ୍ଡିଂ ଷ୍ଟେସନ ତଥା ଏକ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ଟେଣ୍ଡର କରାଯାଇଛି । ଓଡ଼ିଶା ଏକ ପ୍ରତିଯୋଗିତାମୂଳକ ଆଇ.ଟି. ତଥା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ (ଇ.ଏସ.ଡି.ଏମ୍.) କେନ୍ଦ୍ର ଭାବରେ ଉଭା ହେବାପାଇଁ ଏକ ଅନୁକୂଳ ଇକୋସିଷ୍ଟମ ନିର୍ମାଣ କରିବ । 

ଇ ଆଣ୍ଡ ଆଇ.ଟି. ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଏବଂ ଆଇ.ଟି. ତଥା ଆଇ.ଟି.ଇ.ଏସ୍. ଭିଜନ ୨୦୩୦ ଉପରେ ଏକ ଉପସ୍ଥାପନା ଆଗତ କରାଯାଇଥିଲା । ଉପସ୍ଥାପନାରେ ୨୦୪୭ ସୁଦ୍ଧା ୨୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ପାଇଁ ଭାରତର ଲକ୍ଷ୍ୟ ସହିତ ସମନ୍ୱୟ ରଖି ଓଡ଼ିଶା ସ୍ଥାୟୀ ଡିଜିଟାଲ୍ ଅଭିବୃଦ୍ଧି ପାଇଁ ଏକ ସ୍ପଷ୍ଟ ପଥ ପ୍ରସ୍ତୁତ କରୁଛି ବୋଲି କୁହାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବିଶ୍ୱ ଡିଜିଟାଲ୍ ଅର୍ଥନୀତି ଇତିମଧ୍ୟରେ ୧୦-୧୫% ବୃଦ୍ଧି ପାଇଛି । ଡିଜିଟାଲ୍ ମୂଲ୍ୟ ଶୃଙ୍ଖଳାରେ ରାଜ୍ୟକୁ ନିଜର ସ୍ଥିତି ସୁଦୃଢ଼ କରିବାପାଇଁ ଏକ ସମୟୋଚିତ ସୁଯୋଗ ଆଣିଦେଇଛି । ଓଡ଼ିଶାର ଭିଜନ ୨୦୩୬ ଏବଂ ୨୦୪୭ ଅନୁଯାୟୀ ସ୍ଥିର କରାଯାଇଥିବା ବ୍ୟାପକ ଲକ୍ଷ୍ୟଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-କଟକ-ପୁରୀ କରିଡରରେ ବିଶ୍ୱସ୍ତରୀୟ ଜିସିସି ହବ୍‌ଗୁଡ଼ିକର ବିକାଶ, ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ କ୍ଷମତାର ବିସ୍ତାର ଏବଂ ଆଇ.ଟି./ଆଇ.ଟି.ଇ.ଏସ୍., ଫିନଟେକ୍ ଓ ଡାଟା ସେଣ୍ଟର ଭଳି ଉଚ୍ଚ-ବିକାଶ କ୍ଷେତ୍ରରେ ଅଂଶଗ୍ରହଣ ବୃଦ୍ଧି ଅନ୍ତର୍ଭୁକ୍ତ । 

ଏହି ପରିବର୍ତ୍ତନର ଧାରାକୁ ସୁଗମ କରିବା ପାଇଁ ପ୍ରସ୍ତାବିତ ଓଡ଼ିଶା ଡିଜିଟାଲ ଅର୍ଥନୀତି ମିଶନ ଭଳି ରଣନୈତିକ ହସ୍ତକ୍ଷେପ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ସହ ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି । ଏହାବ୍ୟତୀତ ରାଜ୍ୟ ୨୦୩୬ ମସିହା ସୁଦ୍ଧା ଡାଟା ସେଣ୍ଟରଗୁଡ଼ିକ ପାଇଁ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷଣ କରିବା ଏବଂ ଆର୍ଥିକ କ୍ଷେତ୍ରରେ ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଆଉଟସୋର୍ସଡ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ(ଓ.ଏସ୍‍.ଏ.ଟି.)/ଆସେମ୍ୱଲି, ପରୀକ୍ଷଣ, ମାର୍କିଂ ଏବଂ ପ୍ୟାକେଜିଂ(ଏ.ଟି.ଏମ୍‍.ପି.) ୟୁନିଟ୍ ଏବଂ ଶିକ୍ଷାନୁଷ୍ଠାନ ପାଇଁ ଚିପ୍‍ସ-ଟୁ-ଷ୍ଟାର୍ଟଅପ୍ (ସି-୨-ଏସ୍) କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସହଯୋଗ ସହିତ ଓଡ଼ିଶା ନିଜକୁ ଭୁବନେଶ୍ୱର ବାହାରେ ଡିଜିଟାଲ୍ ଭିତ୍ତିଭୂମି, ଉନ୍ନତ ଉତ୍ପାଦନ ଏବଂ ନବସୃଜନ ପାଇଁ ଏକ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ ଭାବରେ ନିଜକୁ ସ୍ଥାନିତ କରିପାରିବ ।

ଉପସ୍ଥାପନା ପରେ ଏକ ବିସ୍ତୃତ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଶିଳ୍ପ ହିତଧାରକ ଅଂଶଗ୍ରହଣ କରିଥିଲେ । ସେମାନେ ପୁଞ୍ଜି ନିବେଶ ସଂସ୍କୃତିର ବିକାଶ ପାଇଁ ନୂଆ ନୂଆ ନିବେଶକାରୀଙ୍କୁ ପ୍ରୋତ୍ସାହିତ କରିବା ସକାଶେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେମାନଙ୍କୁ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରିବା, ଗେମିଂ ଷ୍ଟାର୍ଟଅପ୍‍କୁ ପ୍ରୋତ୍ସାହିତ କରିବା, ସବୁକ୍ଷେତ୍ରରେ ସାଇବର ସିକ୍ୟୁରିଟି ଦିଗକୁ ସର୍ବାଧିକ ଗୁରୁତ୍ୱ ଦେବା ସକାଶେ ଏକ ସାଇବର୍ ନୀତି ପ୍ରବର୍ତ୍ତନ କରିବା, ରାଜ୍ୟ ତଥା ଦେଶ ବାହାରେ ଥିବା ଓଡ଼ିଆମାନଙ୍କ ଷ୍ଟାର୍ଟଅପ୍‍ଗୁଡ଼ିକୁ ଓଡ଼ିଶାରେ ସେମାନଙ୍କ ୟୁନିଟ୍ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ କରିବା, ଲିଗାଲ ଷ୍ଟାର୍ଟଅପ୍‍କୁ ପ୍ରୋତ୍ସାହିତ କରିବା ଆଦି ବହୁ ମୂଲ୍ୟବାନ ପ୍ରସ୍ତାବ ଦେଇଥିଲେ । ବିଭାଗୀୟ ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ ସମସ୍ତ ପ୍ରସ୍ତାବକୁ ବିଚାର ଆଲୋଚନା କରି ସଂଶୋଧନ ପର୍ଯ୍ୟାୟରେ ରହିଥିବା ନୀତିରେ ଆବଶ୍ୟକତା ମୁତାବକ ଅନ୍ତର୍ଭୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 

ସର୍ବଶେଷରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ଆଶାନୁରୂପ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । 

0 Comments

Leave A Reply