Bisforana:Two-day-Vice-Chancellors-Conference-begins-at-Lok-Bhavan

ଲୋକଭବନରେ ଦୁଇ ଦିନିଆ କୁଳପତି ସମ୍ମିଳନୀ ଆରମ୍ଭ

bhubaneswar

ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । 

ରବିବାର ଦିନ ଲୋକଭବନଠାରେ ଆୟୋଜିତ ଦୁଇ ଦିନିଆ କୁଳପତି ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହିତ ବିଶ୍ୱବିଦ୍ୟାଳୟଗୁଡିକୁ ସାମାଜିକ ଦାୟିତ୍ୱବାନ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ପ୍ରତିଷ୍ଠାନରେ ପରିଣତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଏଥି ସହିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏକ ଆତ୍ମନିର୍ଭର ଭାରତ ଗଠନ ଏବଂ ଭବିଷ୍ୟତର ଆହ୍ୱାନ ପାଇଁ ରାଜ୍ୟକୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି।

ଲୋକଭବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ଏହି ଦୁଇଦିନିଆ କୁଳପତି ସମ୍ମିଳନୀରେ ରାଜ୍ୟର ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି I ଏହି ସମାବେଶକୁ ଓଡ଼ିଶାରେ ଉଚ୍ଚଶିକ୍ଷାର ଭବିଷ୍ୟତ ଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୂହିକ ପ୍ରୟାସ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ତଥା ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଶିକ୍ଷାବିତ ଯୋଗ ଦେଇଛନ୍ତି I 

ଏହି ଅବସରରେ କୁଳପତିମାନଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ଜ୍ଞାନ, ନବସୃଜନ ଏବଂ ନେତୃତ୍ୱର କେନ୍ଦ୍ର ଏବଂ ରାଷ୍ଟ୍ର ନିର୍ମାଣରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଦ୍ରୁତ ବୈଷୟିକ ପ୍ରଗତି ଏବଂ ବିଭିନ୍ନ ଆହ୍ୱାନ ମଧ୍ୟରେ ବିଶ୍ୱ ଅଭୂତପୂର୍ବ ପରିବର୍ତ୍ତନ ଦେଇ ଗତି କରୁଥିବା ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟବୋଧ ସହିତ ଏକ ଜଟିଳ ଭବିଷ୍ୟତକୁ ସମ୍ମୁଖୀନ କରିବା ପାଇଁ ଗଢ଼ି ତୋଳିବା ଉଚିତ।

ଏତତବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଅର୍ଥନୈତିକ ସ୍ୱାବଲମ୍ବନଠାରୁ ଅଧିକ ଏବଂ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ଶକ୍ତି ଏବଂ ଶିକ୍ଷା ସହିତ ଅନ୍ତର୍ଭୁକ୍ତ । ଏ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଉଦ୍ୟମିତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା, ସମାଜରେ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।

ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଏହି ନୀତି ବହୁମୁଖୀ ଶିକ୍ଷା, ଶୈକ୍ଷିକ ନମନୀୟତା, ଦକ୍ଷତା ସମନ୍ୱୟ, ଡିଜିଟାଲ୍ ଶିକ୍ଷା, ଗବେଷଣା ଉତ୍କର୍ଷତା ଏବଂ ଦୃଢ଼ ଶିଳ୍ପ ସହଭାଗୀତାକୁ ପ୍ରୋତ୍ସାହିତ କରୁଛି। ଏହି ନୀତିର କାର୍ଯ୍ୟାନ୍ୱୟନକୁ ଆଗକୁ ବଢ଼ାଇବାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ଓଡ଼ିଶାର ସମୃଦ୍ଧ ଜନଜାତି ଐତିହ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜନଜାତି ଜ୍ଞାନ ପ୍ରଣାଳୀ, ପରମ୍ପରା ଏବଂ ସାଂସ୍କୃତିକ ସଂରକ୍ଷଣ ଉପରେ ଅର୍ଥପୂର୍ଣ୍ଣ ଗବେଷଣା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଲୋକଭବନର ଟ୍ରାଇବାଲ ସେଲ୍ ଦ୍ୱାରା ପ୍ରସ୍ତୁତ ପିଭିଟିଜି ଗୋଷ୍ଠୀର ଡକ୍ୟୁମେଣ୍ଟେସନ୍ ପ୍ରକାଶନଗୁଡ଼ିକ ଶିକ୍ଷାଗତ ଅଧ୍ୟୟନ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟମାନଙ୍କୁ ଉପଲବ୍ଧ କରାଯିବ ବୋଲି ରାଜ୍ୟପାଳ କହିଥିଲେ।

ଏହି ସମ୍ମିଳନୀରେ ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଡିଗ୍ରୀ ପ୍ରଦାନକାରୀ ପ୍ରତିଷ୍ଠାନ ନୁହେଁ ବରଂ ଜ୍ଞାନ ସୃଷ୍ଟି, ନବସୃଜନ ଏବଂ ଗବେଷଣାର କେନ୍ଦ୍ର। ଶିକ୍ଷା କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବଜେଟ୍ ଆବଣ୍ଟନ ଉପରେ ଆଲୋକପାତ କରିବା ସହିତ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ରୂପରେଖ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶିକ୍ଷା ଏକ ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଓଡ଼ିଶା ୨୦୩୬ ସୁଦ୍ଧା ବିକଶିତ ରାଜ୍ୟ ହୋଇ ବିକଶିତ ଭାରତର ଜାତୀୟ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର ମହତ ଆକାଂକ୍ଷା ରଖିଛି। ଏ ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନ୍ତର୍ଭୁକ୍ତିମୂଳକ ବିକାଶ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଏବଂ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନରେ ପରିଣତ କରିବାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ, ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଏକ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ବିକଶିତ ଓଡ଼ିଶା@୨୦୩୬ ଏବଂ ବିକଶିତ ଭାରତ@୨୦୪୭ ର ଦୃଷ୍ଟିକୋଣ ଅଧୀନରେ ଉଚ୍ଚଶିକ୍ଷା ବିଭାଗର ସଫଳତା ଏବଂ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରେଜେଣ୍ଟେସନ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଇଂରାଜୀ ଓ ଓଡ଼ିଆ ବିତର୍କ ପାଇଁ ଚାନ୍ସେଲର୍ସ କପ୍ ଘୋଷଣା କରାଯାଇ ଉନ୍ମୋଚନ କରାଯାଇଥିଲା । ନିଶା ନିବାରଣ ଉପରେ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଦକ୍ଷତା ବିକାଶ, ଇଣ୍ଟର୍ନସିପ୍ ଏବଂ ଏଡିଇପି ପଦକ୍ଷେପ ଉପରେ ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ନେତୃତ୍ୱ, ସ୍ୱେଚ୍ଛାସେବା ଏବଂ ରାଷ୍ଟ୍ର ନିର୍ମାଣ ସମ୍ପର୍କରେ ସଶସ୍ତ୍ର ବାହିନୀ ଏବଂ ଏନସିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କାର୍ଯ୍ୟକଳାପକୁ ସୁଦୃଢ଼ କରିବା, ଭାରତୀୟ ରେଡକ୍ରସ୍ ପଦକ୍ଷେପ, ଏନଏସଏସ-ନେତୃତ୍ୱାଧୀନ ଗୋଷ୍ଠୀର ପ୍ରସାର ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ଼ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଦିନର କାର୍ଯ୍ୟକ୍ରମ ଶେଷରେ ରାଜ୍ୟପାଳଙ୍କ ସ୍ଵତନ୍ତ୍ର ଶାସନ ସଚିବ (ଉଚ୍ଚଶିକ୍ଷା) ଶ୍ରୀ ପ୍ରଶାନ୍ତ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I

0 Comments

Leave A Reply