ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ପରୀକ୍ଷା ବାତିଲକୁ ମାସେ ପୂରିବ। ଏହା ସତ୍ତ୍ବେ ଏମିତି ଗୋଟେ ଦିନ ନାହିଁ ଯୋଉଦିନ ବିଭିନ୍ନ ମହଲରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇନାହିଁ। ୨୨ ଲକ୍ଷରୁ ଅଧିକ ପିଲାଙ୍କ ଭବିଷ୍ୟତ ସହ ଖେଳିଲେ। ମନ୍ତ୍ରୀ ଇସ୍ତଫା ନ ଦେଇ ମୂଲ୍ୟହୀନ ସିବିଏସ୍ଇ ତଦନ୍ତ ନିର୍ଦ୍ଦେଶ ଦେଲେ। ଏହି ବିବାଦରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁକ୍ତ ହୋଇ ନ ଥିବା ବେଳେ ଏବେ ପୁଣି ସିବିଏସ୍ଇ ପରୀକ୍ଷାର ମୂଲ୍ୟାୟନକୁ ନେଇ ଅନିୟମିତତା ଜନିତ ବିବାଦ। ଏ ଦେଶର ଛାୟା ପ୍ରଧାନମନ୍ତ୍ରୀ ଶ୍ରୀ ରାହୁଲ ଗାନ୍ଧୀ ବହୁତ ଥର ଟ୍ବିଟ୍ କରିଛନ୍ତି, ଟିଭି ବୁମ୍ ଆଗରେ କହିଛନ୍ତି, ତଥ୍ୟପ୍ରମାଣ ଦେଇଛନ୍ତି... ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି। ଗାଲେଇବାରେ ବିଜେପି ଓସ୍ତାଦ। କିନ୍ତୁ ରାହୁଲଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ନ ଦେବାଯାଏ ଆନ୍ଦୋଳନ ଚାଲୁ ରହିବ। ବୋଲି ପିସିସି ପକ୍ଷରୁ କୁହାଯାଇଛି।
ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ବିଧାୟକ ତଥା ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି କହିଥିଲେ, ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସ୍ପଷ୍ଟ କହିଲେଣି, ବ୍ୟକ୍ତିଙ୍କୁ ଉତ୍ତରଦାୟୀ କର, ବ୍ୟବସ୍ଥାକୁ ଦୋଷ ଦେଇ ଖସିଯାଇପାରିବ ନାହିଁ। ଏବେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ 18.5 ଲକ୍ଷ ପିଲାଙ୍କ ଜୀବନ ସହ ଖେଳ ଖେଳାଯାଇଛି। ଓଡ଼ିଶାକୁ ବାରମ୍ବାର ଲଜ୍ଜିତ କରୁଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ନିଟ୍-ୟୁଜି ପରୀକ୍ଷା ଘୋଟାଲା ବେଳର ମହାନିର୍ଦ୍ଦେଶକଙ୍କୁ କିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବି ପରି ଉପହାର ଦିଆଯାଇଥିଲା ତାହା ଶ୍ରୀ ବାହିନୀପତି ସ୍ମରଣ କରାଇ ଦେଇଥିଲେ। ସଙ୍ଗୀନ ତ୍ରୁଟିବଚ୍ୟୁତି ପାଇଁ ଦୋଷୀଙ୍କୁ ବିଜେପି ପୁରସ୍କୃତ କରିବା ସେମାନଙ୍କର ଏକ ପରମ୍ପରାରେ ପରିଣତ ହୋଇଛି ବୋଲି ସେ କହିଥିଲେ। ୨୦ ଜଣ ବିଜେପି ସାଂସଦଙ୍କୁ ଓଡ଼ିଶାବାସୀ ଲୋକସଭାକୁ ପଠାଇଥିବା ବେଳେ ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ସହ ଖେଳିବା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ ।