ଭୁବନେଶ୍ୱର ୩୦.୦୫.୨୦୨୬
ରାଜ୍ୟରେ ଉଚ୍ଚ ମାନର କୋଠାବାଡ଼ି, ରାସ୍ତା ଓ ସେତୁ ସହ ଭିତ୍ତିଭୂମି ନିର୍ମାଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ନିର୍ମାଣ କ୍ଷେତ୍ରରେ ଗୁଣଯୁକ୍ତ ସାମଗ୍ରୀର ବ୍ୟବହାର ଭିତ୍ତିଭୂମିର ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ । ଅନ୍ୟ ପକ୍ଷରେ ନିର୍ମାଣ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ପ୍ରକଳ୍ପର ସ୍ୱଚ୍ଛତା ଓ ନିର୍ମାଣ ପ୍ରକ୍ରିୟାକୁ ତ୍ୱରିତ ଗତିରେ ଆଗକୁ ନେବା ସହ ସରକାରୀ ଅର୍ଥର ସଠିକ୍ ଉପଯୋଗକୁ ପ୍ରୋତ୍ସାହିତ କରିଥାଏ । ଏହାକୁ ଲକ୍ଷ୍ୟ ରଖି ଆଜି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ନିର୍ମାଣ ବିଭାଗ, କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ, ରାଜ୍ୟ ଶ୍ରମ ଆୟୋଗ, ଓଡ଼ିଶା ବନ ଉନ୍ନୟନ କର୍ପୋରେସନ୍, ଆଇଓସିଏଲ୍, ଏଚ୍ପିସିଏଲ୍, ବିପିସିଏଲ୍ ଆଦି ପକ୍ଷରୁ ଜାରି ବିଜ୍ଞପ୍ତି ଓ ମୂଲ୍ୟକୁ ତର୍ଜମା କରି ରାଜ୍ୟରେ ଯେଭଳି ସଠିକ୍ ଏବଂ ସର୍ବଶ୍ରେଷ୍ଠ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରାଯିବ, ସେଥି ନେଇ ଆଲୋଚନା ହୋଇଥିଲା । ଏଥିରେ ବାଲି, ଗୋଡ଼ି, ସିମେଣ୍ଟ, ଇଟା, ପିଚୁ ଠାରୁ ଆରମ୍ଭ କରି ବୈଦୁ୍ୟତିକ ସାମଗ୍ରୀ, ଫର୍ଣ୍ଣିଚର ଏବଂ କୋଠାବାଡ଼ି, ରାସ୍ତା, ସେତୁ ଆଦିର ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ଏବଂ ଏ ସମ୍ପର୍କିତ ପ୍ରକ୍ରିୟା ଅବଲମ୍ବନ ନେଇ ଆଲୋଚନା ହୋଇଥିଲା । ଏହି ପ୍ରକ୍ରିୟାକୁ ଶୀଘ୍ର ଶେଷ କରି ନିର୍ମାଣ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବୈଠକରେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ନିର୍ମାଣ ବିଭାଗର ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଏଲ୍.କେ. ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ଡିଜାଇନ୍, ପ୍ଲାନିଂ ଓ କୋର୍ଡ଼ିନେସନ୍) ଇଂ ସମୀର ହୋତା, ଇଆଇସି ରୋଡ୍ସ ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଇଂ ଶିବବ୍ରତ ତରିଆ, ମୁଖ୍ୟଯନ୍ତ୍ରୀ ଇଂ ଅରବିନ୍ଦ ତ୍ରିପାଠୀ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ରଙ୍କ ସମେତ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।