ଭୁବନେଶ୍ୱର, 12 ମେ - ବିଶିଷ୍ଟ ମାର୍କ୍ସବାଦୀ ତତ୍ତ୍ୱବିତ୍, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ପ୍ରାକ୍ତନ ରାଜ୍ୟ ସମ୍ପାଦକ, ପୂର୍ବତନ ବିଧାୟକ ତଥା ସାଂସଦ, ପ୍ରଖ୍ୟାତ ଜନନେତା ଲୋକନାଥ ଚୌଧୁରୀଙ୍କ ଆଜି ପୂର୍ବାହ୍ନରେ ୨୩ତମ ସ୍ମୃତି ସମାରୋହ ଭୁବନେଶ୍ୱରସ୍ଥିତ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ ଜେନା ସ୍ୱାଗତ ଭାଷଣ ଦେଇ କମ୍ରେଡ ଲୋକନାଥ ଚୌଧୁରୀଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରି ସାମ୍ପ୍ରତିକ ଦୃଶ୍ୟପଟ୍ଟରେ ତାଙ୍କର ଆଦର୍ଶଗତ ଚିନ୍ତନର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକ କମ୍ରେଡ଼ ରାମକୃଷ୍ଣ ପଣ୍ଡା ସ୍ମୃତିଚାରଣ କରି କମ୍ରେଡ଼ ଚୌଧୁରୀଙ୍କ ସଂଗ୍ରାମୀ ଜୀବନ, ସାଂସଦ ତଥା ବିଧାୟକ ଭାବରେ ଲୋକାଭିମୁଖୀ ପଦକ୍ଷେପ, ସାମ୍ପ୍ରତିକ ବିଶ୍ୱ ତଥା ଦେଶରେ ଦେଖାଦେଇଥିବା ସାମ୍ରାଜ୍ୟବାଦୀ ଆକ୍ରମଣ, କର୍ପୋରେଟ୍-ସାମ୍ପ୍ରଦାୟିକ ବିଷ ବଳୟରେ ସାଧାରଣ ଜନଗଣଙ୍କ ଜୀବନଚର୍ଯ୍ୟା ଦୁର୍ବିସହ ହୋଇପଡ଼ିଥିବା ଉଲ୍ଲେଖ କରି ସମସ୍ତ ଗଣତାନ୍ତ୍ରିକ, ପ୍ରଗତିଶୀଳ, ଧର୍ମନିରପେକ୍ଷ, ସମାଜବାଦୀ ଶକ୍ତି ଏକାଠି ହୋଇ ସଂଗ୍ରାମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ତାହା କମ୍ରେଡ ଲୋକନାଥ ଚୌଧୁରୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ପୂର୍ବତନ ରାଜ୍ୟ ସମ୍ପାଦକ କମ୍ରେଡ ଆଶିଷ କାନୁନ୍ଗୋ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ଡ. ଅମିୟ କୁମାର ମହାନ୍ତି, ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ପ୍ରଫୁଲ୍ଲ ତ୍ରିପାଠୀ, ସତ୍ୟବାଦୀ ବାଘ, କମ୍ରେଡ ସତୀଶ ମିଶ୍ର ଏଥିରେ ଯୋଗଦେଇ କମ୍ରେଡ ଚୌଧୁରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସାମ୍ରାଜ୍ୟବାଦ ଏବଂ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଲଢ଼େଇ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଆଇଟିୟୁସିର କମ୍ରେଡ ନମିତା ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।
Leave A Reply
Name can't be empty
Email can't be empty
Enter valid email address