Bisforana:Union-Minister-Dharmendra-Pradhan-requests-for-release-of-15th-Finance-Commission-grant-amount-to-Sambalpur-and-Deogarh

ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

bhubaneswar

 କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ଏବଂ ଦେବଗଡ଼ରେ ସୁଲଭ ମୂଲ୍ୟରେ ଘର, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀଙ୍କୁ ଋଣ, ଇ- ବସ ଚଳାଚଳକୁ ପ୍ରୋତ୍ସାହନ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା 

ଏହା ଉପରେ ପଦକ୍ଷେପ ନେବା ପାଇଁ ଆଶ୍ୱସ୍ତ କରିଥିବାରୁ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ 

ଏହି ମୌଳିକ ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ 

ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ନାଗରିକ ସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ 

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୩ – ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗମ ନିଗମ (ଏସଏମସି) ଓ  ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ସମ୍ପର୍କରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଆଲୋଚନା କରିଛନ୍ତି । 

ଆଲୋଚନା କାଳରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ, ଓଡ଼ିଶାର ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଦିଆଯାଉଥିବା ଅର୍ଥ ଦିଆଯାଇନାହିଁ । ସମ୍ବଲପୁର ଏବଂ ଦେବଗଡ଼ ଆର୍ଥିକ, ଶିକ୍ଷାଗତ,  ଶିଳ୍ପ ଏବଂ ସାଂସ୍କୃତିକ ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପଞ୍ଚଦଶ ଅର୍ଥ କମିଶନ ଅଧୀନରେ 'ମୌଳିକ ଏବଂ ସଂଯୁକ୍ତ ଅନୁଦାନ' ଏବଂ 'ସ୍ୱାସ୍ଥ୍ୟ ଅନୁଦାନ' ଏ ପର୍ଯ୍ୟନ୍ତ ନ ମିଳିବା ଯୋଗୁଁ ଅନେକ ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜିଛି । 

ସେ କହିଛନ୍ତି ସମ୍ବଲପୁର ଏବଂ ଦେବଗଡ଼ରେ ଏହି ମୌଳିକ ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ । ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ନାଗରିକ ସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ । ଏହି ଅନୁଦାନ ପୌରସଂସ୍ଥା ଗୁଡ଼ିକୁ ଅତ୍ୟାବଶ୍ୟକୀୟ ବିକାଶ କାର୍ଯ୍ୟ ଜାରି ରଖିବା ଏବଂ ନାଗରିକ ସେବାରେ ସହାୟକ ହେବ । ଏହି ବିଷୟକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ଓ ଦେବଗଡ଼ ୟୁଏଲବିକୁ ୧୫ତମ ଅର୍ଥ କମିଶନ ଅନୁଦାନର ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ଶ୍ରୀ ପ୍ରଧାନ  ।

ଏହାବ୍ୟତୀତ ଆଲୋଚନା କାଳରେ ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ, ଇ- ବସ ଚଳାଚଳକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ସହରରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ବ୍ୟବସ୍ଥିତ ଭାବରେ ହେବ, ସେ ଦିଗରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହା ଉପରେ ପଦକ୍ଷେପ ନେବା ପାଇଁ ଆଶ୍ୱସ୍ତ କରିଥିବାରୁ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0 Comments

Leave A Reply