Bisforana:Insensitive-BJP-government-responsible-for-Dalit-atrocities-BJD

ଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ: ବିଜେଡି

bhubaneswar

ଖାରିଗୁମ୍ମା ଘଟଣାରେ ଓଡ଼ିଶା ଦେଶରେ ଲଜ୍ଜିତ

ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାକୁ ହାଲୁକା ଭାବେ ନିଅନ୍ତୁ ନାହିଁ

 ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ଯାତନା ଭଳି ହୃଦୟ ବିଦାରକ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି ।

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଏହି ବର୍ବରକାଣ୍ଡ ଓଡ଼ିଶାକୁ ଦେଶରେ ବଦନାମ କରିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବାର ଏହା ଏକ ନଗ୍ନ ନମୂନା । ରାଜ୍ୟର ସମ୍ବେଦନହୀନ ନେତୃତ୍ୱ ପ୍ରତ୍ୟେକ ଦିନ ଏଭଳି ଅଘଟଣକୁ ଅଣଦେଖା କରିବା ଦ୍ୱାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛି । ଖାରିଗୁମ୍ମା ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ତୁରନ୍ତ ପଦକ୍ଷେପ ନେବାକୁ ଡ଼ ମହାନ୍ତି ଦାବି କରିଛନ୍ତି ।

ଏହିଭଳି ଘଟଣା ପାଇଁ ଦିନକୁ ଦିନ ଓଡ଼ିଶାର ମାନ ସମ୍ମାନ ନିମ୍ନଗାମୀ ହେବାରେ ଲାଗିଛି । ଓଡ଼ିଆ ଅସ୍ମିତା ପ୍ରତ୍ୟେକ ଦିନ ଭୃଲୁଣ୍ଠିତ ହେଉଛି । ସରକାର ଯଦି ସକ୍ରିୟ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଡ଼ ମହାନ୍ତି କହିଛନ୍ତି ।

0 Comments

Leave A Reply