ବଡଠାକୁରଙ୍କ ବାଡଗ୍ରାହୀ ଗୁରୁତର ଅଭିଯୋଗ ଆଣିଛନ୍ତି
୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ କଥା ସରକାର କହୁଛନ୍ତି କିନ୍ତୁ ଠାକୁରଙ୍କ ଗୁପ୍ତସେବାରେ ବିଭ୍ରାଟ
ମହାପ୍ରଭୁଙ୍କ ଚିକିତ୍ସା ଲାଗି ପ୍ରଯୁଜ୍ୟ ମୋଦକ ଚୋରି ହେବାର ଅଭିଯୋଗକୁ ଚପାଇଦେବା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିରର ପ୍ରଶାସନ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ମହାପ୍ରଭୁଙ୍କ ଗୁପ୍ତ ସେବାର ଅଂଶ ଭାବେ କବିରାଜ ସେବକମାନେ ଦଶମୂଳ ମୋଦକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥାଆନ୍ତି । କିନ୍ତୁ ଦୁଃଖର ବିଷୟ ଭୋଗ ନିମନ୍ତେ ମୋଦକ ନେବା ସମୟରେ ମୋଦକ ଚୋରି ହୋଇଥିବା ଜଣାପଡିଲା । ବଡଠାକୁରଙ୍କ ବାଡଗ୍ରାହୀ ଏ ବିଷୟ ଲିଖିତ ଆକାରରେ ଜଣାଇଲା ପରେ ମଧ୍ୟ, ଆଇନମନ୍ତ୍ରୀ ଓ ମୁଖ୍ୟ ପ୍ରଶାସକ ଏହାକୁ ଚପାଇଦେବା ଉଦ୍ଦେଶ୍ୟରେ ଚୋରି ହୋଇନାହିଁ କହିବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି ।
ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ଗତବର୍ଷ ରଥଯାତ୍ରା ସମୟରେ ବଡଠାକୁର ପଡିଯିବା ଘଟଣାର ରିପୋର୍ଟ ଆଜି ଯାଏଁ ମିଳିଲାନାହିଁ । ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ରଥ ଯାତ୍ରା ସୁରୁଖୁରୁରେ ହେବ ଏବଂ ଭଲ ଅନୁଭୂତି ନେଇ ଭକ୍ତମାନେ ଫେରିବେ । କିନ୍ତୁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାପ୍ରଭୁଙ୍କ ଗୁପ୍ତ ସେବାରେ ମାରା ହୋଇଥିବା ମୋଦକ ଲାଗି ହେବା ଦ୍ୱାରା ଭକ୍ତମାନଙ୍କ ମନ ଆନ୍ଦୋଳିତ ହୋଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଠାକୁରଙ୍କ ଯାତ୍ରାରେ ଏହି ବିଭ୍ରାଟ ଦେଖାଦେଇଛି । ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ମିଛ ପ୍ରଚାର କରି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଆଇନମନ୍ତ୍ରୀ ନୈତିକ ଦାୟିତ୍ୱ ବହନ କରି ନିଜ ପଦରୁ ଇସ୍ତଫା ଦିଅନ୍ତୁ ।