ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ତିନି ବର୍ଷର ଝିଅ ସମ୍ମୁଖରେ ଯେଭଳି ବିଭତ୍ସ ଭାବେ ହତ୍ୟା କରାଗଲା, ଏହାକୁ ନେଇ ମାନ୍ୟବର ବିରୋଧୀ ଦଳର ନେତା ତଥା ହିଞ୍ଜିଳି ବିଧାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଆଜି ଶଙ୍ଖଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ, ହିଞ୍ଜିଳିରେ ବର୍ବୋରୋଚିତ ହତ୍ୟାକାଣ୍ଡକୁ ନେଇ ମାନ୍ୟବର ବିରୋଧୀ ଦଳର ନେତାଙ୍କ ଚିଠି ଉପରେ ଆଇନମନ୍ତ୍ରୀଙ୍କ ପ୍ରତିକି୍ରୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ଡ. ମହାନ୍ତି କହିଥିଲେ, ଗତ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଯେଉଁଭଳି ଭାବେ ଆଇନ ଶୃଙ୍ଖଳାର ଚରମ ଅଧୋଗତି ଘଟୁଛି, ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଚିନ୍ତାବ୍ୟକ୍ତ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । କିନ୍ତୁ ଏହି ଚିଠିକୁ ନେଇ ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯେଉଁ ଭଳି ପ୍ରତିକି୍ରୟାଶୀଳ ହୋଇ ମନ୍ତବ୍ୟ ଦେଉଛନ୍ତି ତାହା ବାସ୍ତବିକ ଦୁଃଖଦାୟକ । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡିପଡିଥିଲା ବେଳେ ଆଇନମନ୍ତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ନବୀନ ବାବୁ ନିଜ ଅଞ୍ଚଳରେ ଘଟିଥିବା ଏହି ନାରକୀୟ ହତ୍ୟାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କାହିଁକି ଲେଖିଲେ ବୋଲି ଆଇନମନ୍ତ୍ରୀ ଯେଉଁ ପ୍ରଶ୍ନ କରିଛନ୍ତି, ଏହା ତାଙ୍କ ଅଂହଭାବର ପରିଚୟ ଦେଉଛି ।
ଇପ୍ସିତା ସାହୁ କହିଥିଲେ, ଯେଉଁ ତିନି ବର୍ଷର ଛୁଆ ସାମ୍ନାରେ ତା’ର ଗର୍ଭବତୀ ମାଆଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଗଲା, ସେ ଛୁଆର ଦାୟିତ୍ୱ ନେବା ପାଇଁ ସରକାରଙ୍କୁ ବିରୋଧୀ ଦଳର ନେତା ଅନୁରୋଧ କରିବା ଯଥାର୍ଥ ନୁହେଁ କି? ଯେତେବେଳେ ବି କୌଣସି ପ୍ରଶ୍ନ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ କରାଯାଏ, ଆଇନମନ୍ତ୍ରୀ ପ୍ରତିକି୍ରୟାଶୀଳ ହୋଇ ସାମ୍ନାକୁ କାହିଁକି ଆସୁଛନ୍ତି? ଅଘୋଷିତ ଭାବେ ଆଇନମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି କି? ଏଭଳି ପ୍ରତିିକି୍ରୟାଶୀଳ ହୋଇ ମନ୍ତବ୍ୟ ଦେବା ଅପେକ୍ଷା, ଅନୁଗୁଳ, କଣାସ ଏବେ ଖରିଡା ଘଟଣାରୁ ସରକାର କିଛି ଶିକ୍ଷା ଲାଭ କରି ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବି କରିଛି ।