କୋଲକାତା 24 ଡିସେମ୍ବର-ବର୍ତ୍ତମାନ କୋଲକାତା ଏୟାରପୋର୍ଟରେ କେବଳ ଦଶ ଟଙ୍କାରେ ଚା ଉପଲବ୍ଧ।ଏହି ନୁତନ ପଦକ୍ଷେପ ଯାତ୍ରୀମାନଙ୍କ ପାଇଁ ଆନନ୍ଦର କାରଣ ପାଲଟିଛି।ଆମ ଆଦମୀ ପାର୍ଟୀ(ଆଆପା)ର ସାଂସଦ ରାଘବ ଚଡ୍ଢା ଏହି ପରିବର୍ତ୍ତନକୁ ଦେଖି ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହା ସାଧାରଣ ଲୋକଙ୍କ ପାଇଁ ଏକ ବିଜୟ।
ରାଘବ ଚଡ୍ଢା ସଂସଦର ଶୀତକାଳୀନ ଅଧିବେଶନରେ ବିମାନବନ୍ଦରରେ ଖାଦ୍ୟ-ପେୟ ସାମଗ୍ରୀର ମୁଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ।ସେ ପ୍ରଶ୍ନ ପଚାରିଥିଲେ ଯେ କାହିଁକି ବିମାନବନ୍ଦରରେ ପାଣିବୋତଲ ପାଇଁ 100ଟଙ୍କା ଏବଂ ଚା ପାଇଁ 200-250ଟଙ୍କା ଦେବାକୁ ପଡିବ?ଏହି ମୁଲ୍ୟ ସାଧାରଣ ଲୋକଙ୍କ ସୀମା ବାହାରେ।ଚଡ୍ଢା ପରାମର୍ଶ ଦେଇଥିଲେ ଯେ ବିମାନବନ୍ଦରରେ ଶସ୍ତା କ୍ୟାଫେ କିମ୍ବା କ୍ୟାଣ୍ଟିନ ସୁବିଧା ରହିବା ଉଚିତ।ଏହି ପ୍ରସଙ୍ଗ ଉଠାଇବାର କିଛି ଦିନ ପରେ କୋଲକାତା ବିମାନବନ୍ଦରରେ ଉଡାଣ ଯାତ୍ରୀ କ୍ୟାଫେ ଆରମ୍ଭ ହୋଇଛି,ଯେଉଁଠାରେ ସୁଲଭ ମୁଲ୍ୟରେ ଚା ଏବଂ ଅନ୍ୟାନ୍ୟ ଜିନିଷ ଉପଲବ୍ଧ।କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଛି।