Bisforana:Government-is-running-on-record-amount-of-loans---Naveen-Patnaik

ରେକର୍ଡ ପରିମାଣର ଲୋନ୍‌ରେ ସରକାର ଚାଲିଛି – ନବୀନ ପଟ୍ଟନାୟକ

bhubaneswar

 ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ କର୍ମକର୍ତ୍ତା ସମ୍ମିଳନୀ ।

ଯୋଗଦେଲେ ସଭାପତି ନବୀନ ପଟ୍ଟନାୟକ ।

ଲମ୍ବା ଭାଷଣ, ବଡ ବଡ ବିଜ୍ଞାପନରେ ବିକାଶ ଆସେ ନାହିଁ । 

ରାଜ୍ୟରେ ସ୍ୱାସ୍ଥ୍ୟ ଅବସ୍ଥା ଭୁଷୁଡି ଯାଇଛି ।

ମା’ ମାନଙ୍କ ଆତ୍ମ ବିଶ୍ୱାସ ଭାଙ୍ଗି ଯାଇଛି ।

ମିଲରଙ୍କ ଦୟାରେ ଚାଷୀ, ସରକାରଙ୍କୁ ଭୟ ନାହିଁ ।

ଚାଷୀ ଗୁହାରୀ କରିବେ କାହାକୁ ?

ତା-୧୦.୦୬.୨୦୨୫, ଭୁବନେଶ୍ୱର :

ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଶଙ୍ଖ ଭବନରେ  ଆଜି ଦଳର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଦଳୀୟ କର୍ମକର୍ତ୍ତା ମାନେ ଶଙ୍ଖ ଭବନରେ ଏକାଠି ହୋଇଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ  ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମୀ ମାନଙ୍କୁ ଲୋକଙ୍କ ସେବା ଜାରୀ ରଖିବାକୁ ଆହ୍ୱାନ ଜଣାଇଥିଲେ । ରାଜ୍ୟରେ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ   ଭାରତୀୟ ଜନତା ପାର୍ଟି  ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ  ଲମ୍ବା ଭାଷଣ,  ବଡ  ବଡ  ବିଜ୍ଞାପନରେ ବିକାଶ ଆସେ ନାହିଁ । 

ଆମ ସରକାର ସମୟରେ ଓଡିଶାର 90 % ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ୧୯ ଟି ଜିଲ୍ଲାରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡିଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି । ହଜାର ହଜାର ଲୋକ ହଇରାଣ । ମା’ ମାନେ ହଇରାଣ । ବୁଢା ବୁଢି ହଇରାଣ । କ୍ୟାନ୍ସର ରୋଗୀ ହଇରାଣ । ପିଲାମାନେ ହଇରାଣ । ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଛି ।  ବର୍ତ୍ତମାନ ସରକାରର ଏହା ହେଉଛି ସଫଳତା ।  

ରାଜ୍ୟରେ ମିଶନ ଶକ୍ତି ମା’ ମାନଙ୍କୁ ସରକାରଙ୍କ ଅଣଦେଖା ଉପରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ତାଙ୍କ ସରକାର ମିଶନ ଶକ୍ତି ଜରିଆରେ ସତୁରି ଲକ୍ଷ ମା’ ମାନଙ୍କୁ ସଶକ୍ତ କରିଥିଲେ। ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ଆନ୍ଦୋଳନକୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି  ହତାଶ । ମା’ ମାନଙ୍କ ମନୋବଳ  ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି Movement ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ ।

ଚାଷୀ ମାନଙ୍କ ସମସ୍ୟାରେ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ  ନିର୍ବାଚନ ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ MSP ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି ।  ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ କୃଷି ଋଣ ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେ ଜଳସେଚନ କାମ ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର ।  କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ । 

୨୦୦୦ ରୁ ୨୦୨୪ ମଧ୍ୟରେ ବିଜେଡି ସରକାରର ସଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୦୦ ରେ ବିଜେଡି ସରକାର ଦାୟୀତ୍ୱ ନେବା ସମୟରେ ଓଡିଶାର ଋଣ ଭାର ଥିଲା ୧୮ ହଜାର କୋଟି । Over Draft ରେ ସରକାର ଚାଲିଥିଲା । ୨୦୨୪ ରେ ଆମେ ଦାୟୀତ୍ୱ ଛାଡିବା ବେଳେ ରାଜକୋଷରେ ବଳକା ଥିଲା ୪୫ ହଜାରେ କୋଟି । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ ‍କ୍ଷୋଭ ପ୍ରକାଶ କରିଥିଲେ । 

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୦୫-୦୬ ରେ ଓଡିଶାର ଗରିବୀ 63.83 % ଥିବା ବେଳେ ୨୦୨୩ ରେ ଏହା 11.07 % କୁ ଆସିଥିଲା । 102.78 ଲକ୍ଷ ଲୋକ ଦାରିଦ୍ୟ ସୀମାରେଖା ଉପରକୁ ଉଠିଥିଲେ । ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର ଆଦି ସବୁ ବିକାଶ ସୂଚକାଙ୍କରେ ଆଖିଦୃଶିଆ ଉନ୍ନତି ଆସିଥିଲା ।  

 ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ ଜନାଦେଶରେ ଆମେ ଆଜି ବିରୋଧୀ ଦଳରେ ବସିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ବିଜେଡି ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରି ଚାଲିବ ବୋଲି କହିଥିଲେ ।

Related News

0 Comments

Leave A Reply