ବର୍ଷାଋତୁର ପ୍ରାରମ୍ଭରେ ଜଳ ଓ ଭେକ୍ଟର ବାହିତ ରୋଗ ଗୁଡିକର ନିରାକରଣ, ପ୍ରତିଷେଧ ଓ ପରିଚାଳନା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ ସଦ୍ୟତନ ତଥ୍ୟ ଓ ତତ୍ ସମ୍ବନ୍ଧୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ବୈଠକରେ ମୁଖ୍ୟତଃ ବର୍ଷା ଦିନିଆ ରୋଗ ଯଥା ଡାଇରିଆ, ଜଣ୍ଡିସ୍, ମ୍ୟାଲେରିଆ, ଡ଼େଙ୍ଗୁ ଆଦି ରୋଗର ପ୍ରତିରୋଧ ଓ ଚିକିତ୍ସା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି କ୍ଷେତ୍ରସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବା, ଘରକୁ ଘର ସର୍ବେକ୍ଷଣ କରି ଆରମ୍ଭରୁ ରୋଗର ଚିହ୍ନଟ କରିବା, ସରକାରୀ ଡ଼ାକ୍ତରଖାନା ମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା, ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ ମାନଙ୍କରେ ଆବଶ୍ୟକୀୟ ଓୗଷଧ ଓ ସାଲାଇନ୍ ଆଦି ମହଜୁଦ ରଖିବା ଆଦି ନିଶ୍ଚିତ କରାଇବା ପାଇଁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିଲେ ।
ଆଶାକର୍ମୀ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, କମ୍ୟୁନିଟି ହେଲ୍ଥ୍ ଓ୍ୱାର୍କର ଆଦି କ୍ଷେତ୍ରସ୍ତରୀୟ କର୍ମୀମାନଙ୍କୁ ସଠିକ୍ଭାବେ ଅନୁପ୍ରେରିତ କରି ଗ୍ରାମ ଓ ୱାର୍ଡ ସ୍ତରରେ ସମସ୍ତ ରୋଗ ପ୍ରତିରୋଧ କାର୍ଯ୍ୟକ୍ରମ ଦୃଢ଼ୀଭୁତ କରିବାକୁ ବୈଠକରେ ସ୍ଥିର ହୋଇଥିଲା ।
ଗ୍ରାମ ଓ ସହରାଞ୍ଚଳରେ ଥିବା ସମସ୍ତ ନଳକୂପ ଓ ପାନୀୟ ଜଳସ୍ରୋତକୁ ନିୟମିତ ଭାବେ ବିଶୋଧିତ କରିବା ପାଇଁ ଜଳଯୋଗାଣ ବିଭାଗ ଯନ୍ତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପ, କୂପ ଓ ପାଣିଟାଙ୍କି ଆଦିକୁ ବୈଜ୍ଞାନିକ ପଦ୍ଧତିରେ ସଠିକ ଭାବେ ବିଶୋଧିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଦୂରଦୂରାନ୍ତ ଅଞ୍ଚଳରେ ମୋବାଇଲ୍ ହେଲ୍ଥ୍ ୟୁନିଟ୍ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଥିଲା ।
ମ୍ୟାଲେରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳମାନଙ୍କରେ “ଦମନ” କାର୍ଯ୍ୟକ୍ରମକୁ ସଘନ ଓ ବ୍ୟାପକ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଋତୁଜନିତ ରୋଗର ସର୍ବେକ୍ଷଣ, ଚିକିତ୍ସା ଓ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରରେ ୨୪X୭ ଘଣ୍ଟା ଭିତ୍ତିରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଯାଗାରେ ଦେଖାଦେଇଥିବା ଡାଇରିଆ ରୋଗ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଥିଲେ ଯେ ଏସବୁ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି । ସଂଗ୍ରହ କରାଯାଇଥିବା ୪୧ ଟି ଝାଡ଼ା ନମୁନା ମଧ୍ୟରୁ ୮ ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଛି । ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ଆଦି ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣାଧିନ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଥିଲେ ।
ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱରେ ଥିବା ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍ ଏବଂ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ଯାଜପୁରରୁ କ୍ଷେତ୍ରୀୟ ସ୍ଥିତି ଓ ଜାରି ରହିଥିବା ପ୍ରତିକାରାତ୍ମକ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ।