ପ୍ରତିଶ୍ରୁତି ନୁହେଁ ପ୍ରତାରଣା,ଶାସନ ବାଟବଣା
ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଦୁର୍ନୀତ୍ତିରେ ଭର୍ତ୍ତି
ଅସ୍ମିତା ନୁହେଁ ଆସ୍ଫାଳନ : ଭକ୍ତ ଦାସ
ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାରର ପତନ ହୋଇଛି, ମୋହନ ସରକାର ୧ବର୍ଷ ପୂରଣ କରିଛି କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନାହିଁ । ପ୍ରତିଶ୍ରୁତିରେ ପୋତି ପକାଇଥିବା ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ପାଳନ କରୁଛନ୍ତି । ପ୍ରତିଶ୍ରୁତି ନାଁ ରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି । ସମନ୍ୱୟ ଅଭାବ ଓ ଅହମିକା ଶାସନ ବ୍ୟବସ୍ଥାକୁ ଦିଗହରା କରିଛି । ପ୍ରଚାର ସର୍ବସ୍ୱ ଢ଼ଙ୍ଗରେ ବିଜେପି ସରକାର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ତଳରୁ ଉପରସ୍ତର ଯାଏ ଦୁର୍ନୀତି ଭରି ରହିଛି । ଲୋକଙ୍କ କୋଟି କୋଟି ଟଙ୍କାରେ ଏକ ବର୍ଷର ପୂର୍ତ୍ତିପାଳନ ଉତ୍ସବ ଏକ ପ୍ରହତ୍ସନ । ଅସ୍ମିତା ନାଁ ରେ ଆସ୍ଫାଳନ ଦେଖାଇ ଶାସନ ଗାଦିରେ ବସିଥିବା ମୋହନ ସରକାର ରାଜ୍ୟ ବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି । ବିଜେପିର ପ୍ରତିଶ୍ରୁତିର ପ୍ରତାରଣାକୁ ପଦାରେ ପକାଇବା ପାଇଁ “ବର୍ଷ-୧, ପ୍ରତାରଣା ଅନେକ” ସମ୍ପର୍କରେ ରାଜ୍ୟରେ ପ୍ରମୁଖ ସହରରେ ବରିଷ୍ଠ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଅସଲମୁଖା ଖୋଲିବେ ବୋଲି ଶ୍ରୀ ଦାସ କହିଛନ୍ତି ।
କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ସେ କହିଛନ୍ତି ଯେ ବିଜେପି ସରକାରର ଛଳନାର ସ୍ୱରୂପ ସମ୍ପର୍କରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମା-ବଲାଙ୍ଗୀର, ନିରଞ୍ଜନ ପଟ୍ଟନାୟକ-ଖୋର୍ଦ୍ଧା, ଜୟଦେବ ଜେନା-ପୁରୀ, ପ୍ରସାଦ ହରିଚନ୍ଦନ-ବ୍ରହ୍ମପୁର, ବାଲେଶ୍ୱର-ତାରାପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ- ସମ୍ବଲପୁର, ଅନନ୍ତ ପ୍ରସାଦ ସେଠୀ- କେନ୍ଦ୍ରାପଡ଼ା, ସିଏସ ରାଜନ ଏକ୍କା- ରାୟଗଡ଼ା ଆଦି ପ୍ରମୁଖ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଛଳନା ଓ ପ୍ରତାରଣାପୂର୍ଣ୍ଣ ସ୍ୱରୂପର ମୁଖା ଖୋଲିବେ ।
ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କିଭଳି ପ୍ରତାରଣାରେ ପରିଣତ ହୋଇଛି ତାହାର ସବିଶେଷ ରିପୋର୍ଟ କାର୍ଡ ପିସିସି ସଭାପତିଙ୍କୁ ପ୍ରଦାନ କରିଥିଲେ । ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର କିଭଳି ଦୁର୍ନୀତିରେ ବୁଡ଼ି ରହିଛି ତାହା ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ “ବର୍ଷ-୧, ପ୍ରତାରଣା ଅନେକ” । ରାଜ୍ୟରେ ଦୁର୍ନୀତି ସୀମା ଲଙ୍ଘନ କରିଛି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ହୋଇଛି କେବଳ ସେତିକି ନୁହେଁ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ଜେଇ ଠାରୁ ମୁଖ୍ୟ ଯନ୍ତ୍ରୀ ପର୍ଯ୍ୟନ୍ତ ଜଣକ ପରେ ଜଣେ ଦୁର୍ନୀତିରେ ଛନ୍ଦି ହୋଇଥିବା ପ୍ରକାଶ ପାଇଛି । ଜଣେ ଆଇଏସ ଅଫିସର ୧୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲା ବେଳେ ଲୋକଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଠିକା କାମ ଦକ୍ଷିଣ ଭାରତର ଠିକାଦାର ମାନଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ ପୂର୍ବର ନବୀନ ସରକାର ଦେଇଥିଲା । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିଲେ ମଧ୍ୟ ଏବର ମୋହନ ସରକାର ସେହି ଠିକାଦାର ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ମୁଖ୍ୟମନ୍ତ୍ରୀ ମୋହନଙ୍କ ନୀରବତା ଓ ଶାସନରେ ସ୍ଥାଣୁତା ଦୁର୍ନୀତିକୁ ଦ୍ୱିଗୁଣିତ କରିଛି । ଲୋକେ ଅତିଷ୍ଠ ହୋଇ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗର ଦୃଷ୍ଟି ଆକର୍ଷଣ କରିବା ଫଳରେ ଅନେକ ଅଧିକାରୀ ଏବେ ଆଇନର କାଠଗଡାକୁ ଆସିଛନ୍ତି । ମୋଦି ସରକାରଙ୍କ ସୁଆ ପାଲଟିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପନିର୍ଦ୍ଦେଶକ ଓଡ଼ିଶାରେ ଲାଞ୍ଚ ନେବାବେଳେ ସିବିଆଇ ଦ୍ୱାରା ବନ୍ଧା ହୋଇଛନ୍ତି । ଗତ ନବୀନ ସରକାର ସମୟରେ ଚିଟଫଣ୍ଡ ଜମାକାରୀମାନେ ଯେଉଁ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ୧୮ ମାସ ମଧ୍ୟରେ ଟଙ୍କା ଫେରାଇବାର ପ୍ରତିଶ୍ରୁତି ଦେଇଥିବା ମୋହନ ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି । ଜମାକାରୀଙ୍କ ଖାତା ଖତିଆନ ମିଳୁନାହିଁ । ଧାନର କଟଣୀ ଛଟଣୀ ବ୍ୟବସ୍ଥାରେ ଯେଉଁସବୁ ତ୍ରୁଟି ରହିଛି ମୋହନ ସରକାର ସେଥିପ୍ରତି ଦୃଷ୍ଟି ଦେଇନାହିଁ । ପ୍ରତି କ୍ୟୁଂଟାଲରେ ୮ କେଜିରୁ ୯ କେଜି ଧାନ କଟା ଯାଉଥିବା ବେଳେ ତାହାର ହିସବା କାହା ପାଖରେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହି କଟ୍ନୀ ଛଟଣୀ ଧାନରୁ କାହାର କେତେ କୋଟା ତାହା ତଦନ୍ତ ହେବା ଦରକାର । ଶୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କ ଅର୍ଥିକ ଅଭିବୃଦ୍ଧି ନିମନ୍ତେ ୫୦ ହଜାର ଟଙ୍କା ଭାଉଚରେ ପାଇବେ ଯାହା ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିବା ପ୍ରତିଶ୍ରୁତି ଦେଇଥିଲା ବିଜେପି । କ୍ଷମତାକୁ ଆସିଲାପରେ ୫ ହଜାର ଟଙ୍କା ଲେଖାଏ ବର୍ଷକୁ ଦୁଇଟି କିସ୍ତି କରି ୫ ବର୍ଷରେ ଦେବାକୁ ପଦକ୍ଷେପ ନେଇଛନ୍ତି । ଗତ ସରକାରଙ୍କ ଭଳି ମୋହନ ସରକାର ମଧ୍ୟ ମହିଳାଙ୍କୁ ଭେଳିକି ଦେଖାଇ ପ୍ରତାରଣା କରିଛନ୍ତି । ସେହିଭଳି ମିଥ୍ୟାର ସୌଦାଗର ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତାରଣା କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତର ସମସ୍ତ ମେଟ୍ରୋ ସହରରେ ଓଡ଼ିଆ ଭବନ ନିର୍ମାଣ କରିବା କହି ଏବେ ମୋହନ ସରକାର ନିରବ ରହିଛନ୍ତି । ପ୍ରତ୍ୟେକ ମତ୍ସ୍ୟଜୀବିଙ୍କୁ ମିଥ୍ୟା ପ୍ରତଶ୍ରୁତି ଦେଇ ପ୍ରତାରଣା କରାଯାଇଛି । ଓଡ଼ିଆରେ ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାର ପ୍ରତିଶ୍ରୁତି ଦେଇଥିଲେ, ଏବେ ନୀରବ କାହିଁକି? ସରକାର ଆସିବାମାତ୍ରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲି କହିଥିଲେ ଗଣତି, ମଣତି କରିବୁ ବୋଲି କିନ୍ତୁ ବର୍ଷେ ପୁରିଲା ଗଣତି, ମଣତିର ଚିହ୍ନ ବର୍ଣ୍ଣ ନାହିଁ । ବୁଣାକାର, ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାପାଇଁ ପଶ୍ଚିମ ଓଡ଼ିଶାର ତିନୋଟି ଇଂଟିଗ୍ରେଡେଡ଼ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି କରିବା କୁଆଡ଼େ ଗଲା । ବେକାରୀ, ଯୁବକ, ଛାତ୍ର ଓ ମହିଳାଙ୍କୁ ସରକାର ପ୍ରତାରଣା କରି ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ବଲାଙ୍ଗିରରେ ହୋମଗାର୍ଡ ଚାକିରିପାଇଁ ତିନି ହଜାର ଛାତ୍ର ଭିଡ଼ ଜମାଇବା ବେକାରୀଙ୍କ ଯନ୍ତ୍ରଣାକୁ ପ୍ରତିପାଦିତ କରୁଛି । ଯେଉଁଥିପାଇଁ ଓଡ଼ିଶାର ଦାଦନର ସୁଅ ଛୁଟିଛି । ଗତ ସରକାରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଲୋକେ ଯେତିକି ଉପକୃତ ହେଉଥିଲେ ବୀମା କମ୍ପାନୀ ବେସରକାରୀ ଡାକ୍ତରଖାନା ଏହି ଯୋଜନାର ସେତିକି ଶୋଷଣ କରି ପୂର୍ବ ସରକାରକୁ ସନ୍ତୁଷ୍ଟ କରୁଛନ୍ତି । ଏବେ ବିଜେପି ସରକାରର ଆୟୁଷ୍ମାନ ଯୋଜନା ବ୍ୟବସ୍ଥା ଏଭଳି ଜଟିଳ ଯେ ଅସହାୟ ଗରିବ ରୋଗୀ ଚିକିତ୍ସା ନପାଇ ଆୟୁଷ ଥାଉ ଥାଉ ଜୀବନ ଚାଲିଯିବ ବୋଲି କଂଗ୍ରେସ ଅଭିଯୋଗ କରିଛି । ବାର୍ଦ୍ଧକ୍ୟ ଭର୍ତ୍ତା ୩୦୦୦ ଟଙ୍କା କହି ଲୋକଙ୍କୁ ବିଜେପି ସରକାର ଠକିଛି । ଏଭଳିକି ୮୦ ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ହିତାଧିକାରୀଙ୍କୁ ୩ ହଜାର ୫ ଶହ ଟଙ୍କା ଦେବାକୁ କହି ପ୍ରତାରଣା କରିଛନ୍ତି ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି । ଅତୀତର ବିଜେଡ଼ି ସରକାର ଓ ବର୍ତ୍ତମାନର ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ଭଳି କାମ କରୁଛନ୍ତି । ବିଜେଡ଼ି ବିରୋଧି ଦଳର ମାନ୍ୟତା ପାଇଥିଲେ ମଧ୍ୟ ବିଜେପିର ସହଯୋଗୀ ଭାବେ କାମ କରୁଛି । ୱାକଅଫ ବୋର୍ଡ ବିଲ ସମୟରେ ବିବେକାନୁ ମୋଦିତ ଭୋଟ ଦେବାକୁ ରାଜ୍ୟସଭା ସାଂସଦମାନଙ୍କୁ ବିଜେଡ଼ି କହିବା ପଛରେ ଅଘୋଷିତ ସମର୍ଥନ ରହିଥିଲା । ସେହିଭଳି ପହେଲଗାମ ନରସଂହାର ପରେ ପାକିସ୍ଥାନ ବିରୁଦ୍ଧରେ ଅପରେସନ ସିନ୍ଦୂର କେବଳ ପ୍ରଚାର ସର୍ବସ୍ୱ ଥିଲା । ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ଅଧିବେଶନ ଲୋକସଭା ଡାକିବା ପାଇଁ ସବୁ ବିରୋଧି ଦଳ ଦସ୍ତଖତ ଅଭିଯାନ କରିଥିବା ବେଳେ ବିଜେଡ଼ି ଦୂରେଇ ରହିଥିଲା । ବିଜେପି ବିଜେଡ଼ି ଉପରକୁ ବିରୋଧି ଦେଖାଉଥିବା ବେଳେ ଭିତରେ ବନ୍ଧୁତାରେ ଛନ୍ଦାଛନ୍ଦି ହୋଇଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟରେ ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେପି କହିଥିଲା । ହେଲେ ସରକାରକୁ ଆସିବାପରେ ସେମାନଙ୍କୁ ପୁରସ୍କାର ସ୍ୱରୂପ କେନ୍ଦ୍ର ସ୍ତରରେ ଉଚ୍ଚ ପଦରେ ଅଧିଷ୍ଠିତ କରାଯାଇଛି । ଅନୁଗୁଳ, ତାଳଚେର, ସମ୍ବଲପୁର ଆଦି ଅଞ୍ଚଳରେ ପ୍ରଦ୍ୟୁଷିତ ପରିବେଶ ସ୍ଥାନୀୟ ଲୋକଙ୍କ ପାଇଁ ଅତିଷ୍ଠ ହୋଇଛି । ଶିଳ୍ପକୁ କଂଗ୍ରେସ ବିରୋଧ କରୁ ନାହିଁ କିନ୍ତୁ ପରିବେଶ ପ୍ରତି ସରକାର ଆଖି ବୁଜିଦେଲେ ଛାଡ଼ିବୁ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଯାଜପୁର ସମତେ ୫ଟି ଜିଲ୍ଲାରେ ଝାଡାବାନ୍ତି ଚରମସୀମାରେ ପହଂଚିଛି । ଚିକିତ୍ସା ଅବହେଳା ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନ କମିଟି ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରିବେ ଓ ଏକ ରିପୋର୍ଟ ପିସିସି କାର୍ଯ୍ୟାଳୟକୁ ପ୍ରଦା କରିବେ ବୋଲି ଶ୍ରୀ ଦାସ କହିଛନ୍ତି । ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମୋହନ ସରକାର ଅସ୍ମିତା କଥା କହି କ୍ଷମତାକୁ ଆସିଲା କିନ୍ତୁ ଅସ୍ମିତାର ସମ୍ମାନ ରଖିନାହଁ । କୃଷିର ୩ ହଜାର କୋଟି ଟଙ୍କ ବ୍ୟୟ କରି ଶୀତଳ ଭଣ୍ଡାର ଓ କୃଷି ବିଦ୍ୟାଳୟ ସ୍ଥାପନ କରିବେ ବୋଲି କହି ପ୍ରତିଶ୍ରୁତି ଆଜି ପାଣିରେ ଗାର ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଦରମା ବୃଦ୍ଧି କରିବେ ବୋଲି ନିରାଶ ଭିତରକୁ ଠେଲିଛନ୍ତି । ପେସା ଆଇନର ପ୍ରତିଶ୍ରୁତି ପାଳନ ହୋଇନାହିଁ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡ୍ରାପ୍ଟିଂ କମିଟି ସଦସ୍ୟ ଶ୍ରୀ ତାରା ପ୍ରସାଦ ବାହିନୀପତି, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ରଜନୀ ମହାନ୍ତି, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଶ୍ରୁତି ନୁହେଁ ପ୍ରତାରଣା,ଶାସନ ବାଟବଣା