Bisforana:ଭୁବନେଶ୍ୱର-ଓ-ପିପିଲିରେ-ବିଜେପିର-ବୁଥ-ଜନସମ୍ପର୍କ-ଅଭିଯାନରେ-ସାମିଲ-ହେଲେ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ଓ ପିପିଲିରେ ବିଜେପିର ‘ବୁଥ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

bhubaneswar

୨୦୨୪ ନିର୍ବାଚନରେ ମୋଦି ଗ୍ୟାରେଣ୍ଟି ଯାଦୁ କରିବ- ଧର୍ମେନ୍ଦ୍ର ପ୍ରଧାନ

ଉତ୍ତର ଭୁବନେଶ୍ୱର ଏବଂ ପିପିଲି ନିର୍ବାଚନମଣ୍ଡଳୀରେ ‘ବୁଥ କାର୍ଯ୍ୟକର୍ତ୍ତା’ ବୈଠକରେ ନିର୍ବାଚନ ପ୍ରସ୍ତୁତି ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ କଲେ ଆଲୋଚନା 

ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବୁଥ ନମ୍ବର- ୫୯ରେ ଘରେ ଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାର ଷ୍ଟିକର ଲଗାଇଲେ 

‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହୋଇ ପଦ୍ମଫୁଲ ଚିହ୍ନ ଆଙ୍କିଲେ କେନ୍ଦ୍ରମନ୍ତ୍ରୀ 

ଦଳୀୟ କାର୍ଯ୍ୟକର୍ତ୍ତା ନଗେନ ବିଶୋୟୀଙ୍କ ଘରେ ସକାଳ ଜଳଖିଆ କଲେ  

ପିପିଲି ଗୋବିନ୍ଦପୁର ସିଉଳା ଠାରେ ପଦଯାତ୍ରାରେ ହେଲେ ସାମିଲ

‘ବିକଶିତ ଭାରତ’ ଗଠନ ସହ ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଭରସା ବଢିଛି 

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ପରିବର୍ତ୍ତନ ମୁହାଁ 

ମୋଦିଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆସ୍ଥାର ଭାବନା ତିଆରି ହୋଇଛି 

ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ନେଇ ମହିଳା ଓ ଯୁବକ ମାନେ ବେଶ୍ ଉତ୍ସାହିତ 

ଭୁବନେଶ୍ୱର, ଜାନୁଆରୀ ୨୮ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ବଡ଼ ରାଜନୈତିକ ପରିବର୍ତ୍ତନ ଆଡକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ମୋଦି ଗ୍ୟାରେଣ୍ଟି ଯାଦୁ କରିବ ବୋଲି ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଓ ପୁରୀ ପିପିଲିରେ ବିଜେପିର ‘ବୁଥ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେବା ଅବସରରେ କହିଛନ୍ତି ।        

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅଭିଯାନ ଅଧୀନରେ ଆଜି ପ୍ରଥମେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଚନ୍ଦ୍ରଶେଖରପୁର ଓ୍ୱାର୍ଡ ନଂ ୮ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ନଗେନ ବିଶୋୟୀଙ୍କ ଘରେ ସକାଳ ଜଳଖିଆ  କରିଥିଲେ । ପରେ ଏହି ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୫୯ ହାଉସିଂ ବୋର୍ଡ କଲୋନୀରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହୋଇ କାନ୍ଥରେ ପଦ୍ମଫୁଲ ଚିହ୍ନ ଆଙ୍କିଥିଲେ । କାର୍ଯ୍ୟକର୍ତ୍ତାମାନଙ୍କ ସହ ଦଳୀୟ ସଂଗଠନ ଓ ରାଜନୈତିକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଘର ଘର ବୁଲି ସାଧାରଣ ଲୋକଙ୍କୁ ଭେଟିବା ସହ ମୋଦିଙ୍କ ବାର୍ତ୍ତାର ଷ୍ଟିକର ଓ ମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନାର ଲିଫଲେଟ୍ ବିତରଣ କରିଥିଲେ । ବୁଥ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ଉପରେ ମଧ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । 

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ପିପିଲି ନିର୍ବାଚନମଣ୍ଡଳୀ କଣ୍ଟି ପଞ୍ଚାୟତ ପାତ୍ର ସାହୀ ବୁଥ ନମ୍ବର 144ରେ ଆୟୋଜିତ ବୈଠକରେ ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଗୋବିନ୍ଦପୁର ସିଉଳା ଠାରେ ପଦଯାତ୍ରାରେ ସାମିଲ  ହୋଇଥିଲେ ।    

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଦଳ ତରଫରୁ ବୁଥ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶା ଆଜି ରାଜନୈତିକ ପରିବର୍ତ୍ତନ ଆଡକୁ ମୁହାଁଇଲାଣି । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆସ୍ଥାର ଭାବନା ତିଆରି ହୋଇଛି । ଓଡ଼ିଶାରେ ମୋଦିଙ୍କ ପ୍ରତି ଶ୍ରଦ୍ଧା ଓ ଆଶୀର୍ବାଦ ଅଛି । ଦେଶ ରାମରାଜ୍ୟ ହୋଇଥିବା ବେଳେ ସ୍ୱରାଜ୍ୟ ଦିଗରେ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର ଗ୍ୟାରେଣ୍ଟି ଉପରେ ଲୋକମାନେ ଭରସା ରଖୁଛନ୍ତି ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ପରବର୍ତ୍ତୀ ସମୟରେ ପୁଣି ଉପକୂଳ ଅଞ୍ଚଳକୁ ଆସିବେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଭାରତକୁ ଏକ ସୁଦୃଢ଼ ଦେଶ ଭାବେ ଗଢ଼ିବା ପାଇଁ ଓଡ଼ିଶାର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇବେ । ଦଳର କାର୍ଯ୍ୟକର୍ତ୍ତା ଏବଂ ବିଶେଷ ଭାବରେ ମହିଳା ଓ ଯୁବକ ମାନେ ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

0 Comments

Leave A Reply