Bisforana:ଅତ୍ୟାବଶକୀୟ-ଜିନିଷର-ଅହେତୁକ-ଦରବୃଦ୍ଧି-ପ୍ରତିବାଦରେ-ଜାନୁଆରୀ-୬-ତାରିଖରେ-ବିଜେଡିର-ଗଣବିକ୍ଷୋଭ

ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଜାନୁଆରୀ ୬ ତାରିଖରେ ବିଜେଡିର ଗଣବିକ୍ଷୋଭ

bhubaneswar

 

ଭୁବନେଶ୍ୱର ୦୩/୦୧/୨୦୨୫: ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହି ବିଜେଡି ଆଜି ବିଜେପି ସରକାର ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏହି ଅହେତୁକ ଦରବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬, ୨୦୨୫ ତାରିଖ ଦିନ ଲୋକସେବା ଭବନ ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯିବ ବୋଲି ସୂଚନା ଦେଇଥିଲେ । 

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିୟମିତ ଭାବେ କମି ଚାଲିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି । ମୁଦ୍ରାସ୍ପୀତି ବୃଦ୍ଧିର କିଛି ତଥ୍ୟ ଦେଇ ଶ୍ରୀ ମିଶ୍ର କହିଥିଲେ, ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ୯ ମାସରେ ସବୁଠାରୁ ଅଧିକ । ସେହିପରି, ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ । ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଏଣୁ ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆସନ୍ତା ଜାନୁଆରୀ ୬, ୨୦୨୫ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ । 

ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଥିଲେ, ଦରଦାମ ବୃଦ୍ଧି ସମସ୍ୟା ଏତେ ଉକ୍ରଟ ହୋଇଛି ଯେ ଗ୍ରାମାଞ୍ଚଳରେ ଆଜି ପରିବା କିଣିବାକୁ ଗଲେ ହଜାର ଟଙ୍କାର ପରିବା ଆଣିଲେ ମଧ୍ୟ ନିଅଣ୍ଟ ପଡୁଛି । ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ତରଫରୁ ଲୋୟର ପିଏମଜିରୁ ଗଣବିକ୍ଷୋଭ ଆରମ୍ଭ ହୋଇ ଲୋକସେବା ଭବନ ସମ୍ମୁଖରେ ଗଣବିକ୍ଷୋଭ ଆୟୋଜନ ହେବ ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ଶୀର୍ଷରେ ପହଁଚିଛି । ଆଳୁ, ପିଆଜ, ରସୁଣ, ଖାଇବା ତେଲ ଓ ଡାଲି ଜାତୀୟ ଜିନିଷର ଦରବୃଦ୍ଧି ଆକାଶଛୁଆଁ ହୋଇଛି । ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ନଚେତ ଜାନୁଆରୀ ୬, ୨୦୨୫ ତାରିଖ ଗଣବିକ୍ଷୋଭ ପରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଥିଲେ ।

ସେହିପରି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟର ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାଙ୍କ ହାଣ୍ଡିଶାଳକୁ ଗୋଇଠା ମାରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ମୁଦ୍ରାସ୍ପୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଜଣେ ସାଧାରଣ ମହିଳା ଆଜି ଏହି ଦରଦାମ ବୃଦ୍ଧି ଯୋଗୁଁ ତା’ର ପରିବାର ଚଳାଇବା ପାଇଁ ଓ ନିତ୍ୟ ଆବଶକୀୟ ଜିନିଷ ପ୍ରଦାନ କରିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି ।

ବିଜେଡି ବିଧାୟକ ଓ ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଓଡିଶାର ମୁଦ୍ରାସ୍ପୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି । ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟ ମାନଙ୍କ ଭିତରେ ମୁଦ୍ରାସ୍ପୀତି ବୃଦ୍ଧି ତାଲିକାରେ ପ୍ରଥମ ୮ଟି ରାଜ୍ୟ ମଧ୍ୟରେ ୭ଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି । ରାଜ୍ୟରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ଉତ୍କଟ ହୋଇଛି ।

0 Comments

Leave A Reply