ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ (Trimetro Garments India Pvt Ltd) ଏବଂ ପରବର୍ତ୍ତୀ ସମୟରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ (Anadrone Systems) ପରିସର ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ଟିମ୍ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।
ଏହି ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ Trimetro Garments କାରଖାନାର କର୍ମଚାରୀମାନଙ୍କ ସହ ଅତି ନିବିଡ଼ ଭାବେ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ କର୍ମଚାରୀମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶିଳ୍ପାନୁକୂଳ ଓ ନିଯୁକ୍ତିଭିତ୍ତିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆଉ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ। ନିଜ ମାଟିରେ ରହି ସ୍ୱାବଲମ୍ବୀ ହେବାରେ ସେମାନେ ଗର୍ବ ଓ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ଏଭଳି ବସ୍ତ୍ର ଶିଳ୍ପଗୁଡ଼ିକ ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀ ମାନେ କହିଛନ୍ତି ।
କର୍ମଚାରୀ ମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀ ମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗର ବିକାଶ ଉପରେ ସବିଶେଷ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ ।
ବିଶେଷ କରି କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କର୍ମଚାରୀଙ୍କ ରହିବା ନିମନ୍ତେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ସେମାନଙ୍କ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି (EV) ବସ୍ ସେବା ପ୍ରଦାନ କରାଯିବ।
ଆଗାମୀ ଦିନରେ ଏହି ଅଞ୍ଚଳରେ ଏଭଳି ଆହୁରି ଅନେକ ନୂତନ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବ। ଏହି ବୃହତ ଶିଳ୍ପଗୁଡ଼ିକୁ ଆଧାର କରି ଏଠାରେ ଏକାଧିକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଓଡ଼ିଶାର ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସମ୍ପର୍କରେ ଏକ ଦୃଢ଼ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକ ସଂକଳ୍ପ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ। ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ଅତି ସତର୍କତା ଓ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛନ୍ତି।
ସୂଚନା ଯୋଗ୍ୟ ଯେ ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ହେଉଛି ବିଶ୍ୱ ସ୍ତରୀୟ ବସ୍ତ୍ର ଉତ୍ପାଦନ ସଂସ୍ଥା EPIC Groupର ଏକ କମ୍ପାନୀ ।ଟ୍ରାଇମେଟ୍ରୋ ପ୍ରଥମ ଥର ପାଇଁ ଭାରତରେ ତାର ଉତ୍ପାଦନ ଆରମ୍ଭ କରିଛି।
ଏହି କମ୍ପାନୀ ପାଇଁ ୨୦୨୫ ଏପ୍ରିଲ୍ ୩ ତାରିଖରେ ଶିଳାନ୍ୟାସ କରାଯାଇଥିଲା। ମାତ୍ର ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ଉଦଘାଟନ କରାଯାଇ ଉତ୍ପାଦନ ଆରମ୍ଭ ହୋଇଛି।ଶିଳ୍ପାୟନ ପ୍ରକ୍ରିୟାକୁ ରାଜ୍ୟ ସରକାର କେତେ କ୍ଷୀପ୍ର ଗତିରେ କାର୍ଯ୍ୟକାରୀ କରୁଛନ୍ତି, ଏହି ଶିଳ୍ପ ତାର ପ୍ରମାଣ।
ଖୋର୍ଦ୍ଧାରେ ସ୍ଥାପିତ ଏହି ପ୍ଲାଣ୍ଟ ୩୭୬ କୋଟି ଟଙ୍କାରେ ସ୍ଥାପିତ ହୋଇଛି। ଏହାଦ୍ୱାରା ପ୍ରାୟ ୭୦୦୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିରୁ ଅଧିକାଂଶ ହେଉଛନ୍ତି ମହିଳା। ଏହି କମ୍ପାନୀ ବିଶ୍ୱ ସ୍ତରୀୟ ଫେସନ ବ୍ରାଣ୍ଡ ୟୁନିକଲୋ (Uniqlo) ପାଇଁ ଉତ୍ପାଦନ କରୁଛି। ଏହାଦ୍ୱାରା ବିଶ୍ୱ ଫେସନ ମ୍ୟାପରେ ଓଡ଼ିଶା ସ୍ଥାନ ପାଇ ପାରିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
Anadrone Systems Private Limitedର ସିଇଓ ଶ୍ରୀ ଅନନ୍ତ ଭାଲୋଟିଆଙ୍କ ସହ ଆଲୋଚନା କରି ଅପରେସନ୍ “ସିନ୍ଦୂର”ରେ ଡ୍ରୋନ୍ Technology ର ସଫଳ ବ୍ୟବହାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଡ୍ରୋନ୍ Technology ୧୦୦ ପ୍ରତିଶତ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କମ୍ପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ଉନ୍ନତ ବୈଷୟିକ ଦକ୍ଷତା ଦେଶର ସୁରକ୍ଷାକୁ ଆହୁରି ସୁଦୃଢ କରୁଛି ଏବଂ ସେମାନେ ଦେଶକୁ ସୁରକ୍ଷିତ ରଖିବାରେ ବିଶେଷ ଭୂମିକା ରଖୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସଫଳତା ଓଡ଼ିଶା ପାଇଁ ମଧ୍ୟ ଗୌରବାନ୍ୱିତ ।
ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଦେଖିଥିଲେ। ଏଥିରେ ରହିଛି Aerial Targets, Target Launchers & Trailers, Ground Support Equipment ଏବଂ Ground Stations।
ଭବିଷ୍ୟତରେ ଏହି ସବୁ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଁଥିଲେ।
ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।